ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି...

ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି...


ଭୁବନେଶ୍ଵର,୨୪/୧୨(ନି.ପ୍ର):ଧାନ କିଣାକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।

      Ad..


ଗତକାଲି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଧାନ କିଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଥିଲେ। 

Ad..


ମଙ୍ଗଳବାର କୃଷକ ଦିବସ ହୋଇଥିବାରୁ ରାଜ୍ୟର କୃଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ କୃଷକ ମାନଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇଥିଲେ । ଇନ୍ପୁଟ ସବସିଡି ବାବଦକୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଦେଉଛୁ କହି ବାହାଦୁରୀ ମାରୁଥିବା ଡବଲ ଇଞ୍ଜିନ ସରକାର ବାସ୍ତବରେ ସମ୍ପୂର୍ଣ୍ଣ ଫେଲ ମାରିଛି ବୋଲି ବିଜେଡି କହିଛି ।

Ad..


ଦାସବର୍ମା କହିଥିଲେ, ଇନ୍ପୁଟ ସବସିଡି ୮୦୦ ଟଙ୍କା ଦେଉଛୁ କହି ନିଜ ପିଠି ନିଜେ ଥାପୁଡେଉଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେବାରେ ଫେଲ ମାରିଛନ୍ତି । ୨୦୨୪-୨୫ ବର୍ଷରେ ୨୦% ଧାନ ସଂଗ୍ରହ ହୋଇପାରି ନଥିଲା । 

ଏବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ସମୟ ଉପନୀତ ହୋଇସାରିଥିଲେ ମଧ୍ୟ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇନାହିଁ । ରାଜ୍ୟର ୧୧ଟି ଜିଲ୍ଲାରେ ଧାନ ମଣ୍ଡି ଖୋଲା ହେଲା ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ କୌଣସି ଜାଗାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ୧୧ଟି ଜିଲ୍ଲାର ଚାଷୀ ଆଜି ରାସ୍ତାରେ ।

ଟୋକନ ପିଛା କେତେ ଧାନ ସରକାର କିଣିବେ ବୋଲି ସନ୍ଦେହ ସୃଷ୍ଟି ହେଲାଣି । କୁହାଯାଉଛି ଟୋକନ ପିଛା ୧୦୦ କୁଇଣ୍ଟାଲ ଧାନ କିଣା ହେବ । ଧାନ କିଣାକୁ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ମାନଙ୍କ ମନ୍ତବ୍ୟ ଚିନ୍ତାଜନକ ହୋଇଛି । ମନ୍ତ୍ରୀ ମାନଙ୍କ ମନ୍ତବ୍ୟରେ ତାଳ ମେଳ ରହୁନାହିଁ । 

ଯୋଗାଣ ମନ୍ତ୍ରୀ ଚଳିତ ବର୍ଷ ସ୍ଥିରୀକୃତ ହୋଇଥିବା ପରିମାଣରୁ ଅଧିକ ଧାନ କିଣାଯିବ ନାହିଁ ବୋଲି କହିଥିଲା ବେଳେ ସମବାୟ ମନ୍ତ୍ରୀ ଟୋକନ ପିଛା ୧୫୦ କୁଇଣ୍ଟାଲ ଧାନ କିଣାଯିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ସମସ୍ତ ବଳକା ଧାନକୁ କିଣାଯିବ ବୋଲି ସୂଚନା ଦେଇଥିଲେ। 

ଏଥିରୁ କେଉଁଟା ଠିକ୍ ବୋଲି ଆମେ ବୁଝିବା ? ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନଙ୍କ ଭିତରେ ସମନ୍ୱୟ ନାହିଁ । ଜିଓ ଟ୍ୟାଗ, ସାଟେଲାଇଟ ସର୍ଭେ, ଏଫଏକୁ୍ୟ ଓ ଗ୍ରେନ ଏନାଲାଇଜର ମାଧ୍ୟମରେ ଧାନ କିଣା ପରିମାଣକୁ ଜାଣିଶୁଣି କମାଇ ଦିଆଯାଉଛି ।ସେଇଭଳି ମଲ୍ଲିକ କହିଥିଲେ, ମିଲ୍ ମାଲିକ ଓ ରାଜ୍ୟ ସରକାରଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଥିବାରୁ ରାଜ୍ୟର ଚାଷୀ ହତାଶ ହୋଇ ବସିଛନ୍ତି। 

ଏଫଏକୁ୍ୟ ନାମରେ କଟନୀ ଛଟନୀ ଚାଲିଛି । ଚାଷୀ ମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।ବକ୍ସିପାତ୍ର କହିଥିଲେ, ରାଜ୍ୟର ଚାଷୀମାନେ ଟୋକନ ପାଇବା ପାଇଁ ଚାହିଁ ବସିଛନ୍ତି । ଟୋକନ ବିତରଣ ନେଇ କୌଣସି ସ୍ପଷ୍ଟତା ନାହିଁ । ଅଧାରୁ ଅଧିକ ଚାଷୀଙ୍କୁ ଟୋକନ ମିଳୁନାହିଁ । 

ସରକାର ଧାନ କିଣା ନେଇ ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ ବାସ୍ତବ ଚିତ୍ର ଅଲଗା ରହିଛି । ୨୦୨୪-୨୫ ବର୍ଷରେ ୧୯ ଡିସେମ୍ୱର ସୁଦ୍ଧା ୯୮,୬୭୦ ଜଣ ଚାଷୀଙ୍କ ଠାରୁ ୪,୬୨,୬୭୫ ମେଟ୍ରିକ ଟନ ଧାନ କିଣା ହୋଇସାରିଥିଲା ବେଳେ ଚଳିତ ବର୍ଷ ୧୯ ଡିସେମ୍ୱର ସୁଦ୍ଧା ୫୮,୨୦୬ ଜଣ ଚାଷୀଙ୍କ ଠାରୁ ୨,୬୫,୯୦୬ ମେଟ୍ରିକ ଟନ ଧାନ କିଣାଯାଇଛି । 

ଏହି ତଥ୍ୟରୁ ରାଜ୍ୟରେ ଧାନ କିଣା ସ୍ଥିତି କିପରି ମାନ୍ଦା ରହିଛି, ତାହା ସ୍ପଷ୍ଟ ହେଉଛି । ଏହାଛଡା ଧାନ କିଣା ପ୍ରକ୍ରିୟା ଶେଷ ହେବାର ୨୪ ଘଣ୍ଟା ଭିତରେ ଧାନର ମୂଲ୍ୟ କୃଷକ ମାନଙ୍କୁ ମିଳିବା ନିୟମ ରହିଥିଲେ ମଧ୍ୟ ଏହା ୨୪ ଦିନ ପର୍ଯ୍ୟନ୍ତ ମିଳୁନାହିଁ । ବିଲରୁ ମଣ୍ଡିକୁ ପହଞ୍ଚାଇବା ପାଇଁ ଲାଗୁଥିବା ପରିବହନ ଖର୍ଚ୍ଚ ସହିତ ଏବେ ମଣ୍ଡିରୁ ମିଲରଙ୍କ ଗୋଦାମ ପର୍ଯ୍ୟନ୍ତ ଖର୍ଚ୍ଚ ମଧ୍ୟ ଚାଷୀଙ୍କୁ ବହନ କରିବାକୁ ପଡୁଛି ବୋଲି ବକ୍ସିପାତ୍ର କହିଥିଲେ ।



Edited by k.s thakur...

Post a Comment

Previous Post Next Post