ବନ୍ୟା ପ୍ରଭାବିତ ଅଞ୍ଚଳ ଓ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା...
ଭୁବନେଶ୍ଵର,୩୦/୦୭ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
Ad..
ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ଗଣମାଧ୍ୟମ ନିକଟରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି ।Ad..
ବାଲେଶ୍ୱରର ୪ଟି ବ୍ଲକ୍ ଯଥା ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି।
Ad..
ବନ୍ୟାଦ୍ୱାରା ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୫୮୬୯ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକସ୍ଥଳେ ଗରମ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି ।
ଏଥିପାଇଁ ବାଲେଶ୍ୱରରେ ୧୬ଟି, ଭଦ୍ରକରେ ୧୦ଟି ଓ ଯାଜପୁରରେ ୩ଟି ଫ୍ରି କିଚିନର ବ୍ୟବସ୍ଥା କରାଯାଇଛି । ସମୁଦାୟ ପ୍ରାୟ ୧୦ ହଜାର ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବନ୍ୟା ଅଞ୍ଚଳର କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ।
ଘର ଭଙ୍ଗା ଏବଂ ଗୋ-ସମ୍ପଦର କ୍ଷୟକ୍ଷତି ରିପୋର୍ଟ ମଗାଯିବା ସହିତ ଯେଉଁ ଗାଁ ଗୁଡ଼ିକରେ ରାସ୍ତା ଖରାପ ହୋଇଯାଇଛି ସେଗୁଡିକ ତୁରନ୍ତ ମରାମତି କରି ଯୋଗାଯୋଗ ବ୍ୟବସ୍ଥା ପୁନସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପଶୁଖାଦ୍ୟ ଯୋଗାଇ ଦେବା ପାଇଁ ପରାମର୍ଶ ଦିଆଯାଇଛି ।
ବନ୍ୟା ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ବିଶେଷ କରି ଡାଇରିଆ ଓ ଅନ୍ୟାନ୍ୟ ଜଳ ବାହିତ ରୋଗର ନିୟନ୍ତ୍ରଣ ପାଇ ଜଳ ଉତ୍ସ ଗୁଡିକର ବିଶୁଦ୍ଧକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ଏହାକୁ ଜାରି ରଖିବା ପାଇଁ ସ୍ଥାନୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୌଣସି ପରିସ୍ଥିତିରେ ଯେପରି ଡାଇରିଆ ରୋଗର ପ୍ରଭାବ ଦେଖାନଯିବ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ ।




