ଭୁଶୁଡ଼ିଲା ବିଜୁବାବୁଙ୍କ ସମୟରେ ନିର୍ମିତ ପୋଲ...
ସୁବର୍ଣ୍ଣପୁର/ବିନିକା,୨୩/୦୭ :ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ଡୁଙ୍ଗୁରିପାଲି ବ୍ଳକକୁ ସଂଯୋଗ କରୁଥିବା ଗୁରହାଣ୍ଡି ଯୋର ଉପରେ ନିର୍ମିତ ପୋଲ ଭୁଶୁଡି ପଡ଼ିଛି। ଏହି ଅପ୍ରୀତିକର ଘଟଣା ସମୟରେ ସୌଭାଗ୍ୟବଶତଃ କୌଣସି ଲୋକ ଯାତାୟତ କରୁ ନଥିଲେ।
Ad..
ଯାନବାହନ ମଧ୍ୟ ନଥିଲା। ସେଥି ପାଇଁ ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି। ବିନିକା ବ୍ଳକ ଜୁଲୁଣ୍ଡା ପାଖରେ ଥିବା ଏହି ପୋଲ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଭୁଶୁଡ଼ିବା କାରଣରୁ ଏହି ରାସ୍ତାରେ ଗମନାଗମନ ଠପ୍ ହୋଇଯାଇଛି।
Ad..
ଫଳରେ ଲକ୍ଷାଧିକ ଲୋକଙ୍କର ଯାତାୟତରେ ଅସୁବିଧା ହୋଇଛି। ଲୋକଙ୍କୁ ନିଜ ଗନ୍ତବ୍ୟ ପଥରେ ପହଞ୍ଚିବା ପାଇଁ ବହୁଦୂର ବୁଲିବାକୁ ପଡୁଛି। ଗୁରହାଣ୍ଡି ଯୋର ଉପରେ ନିର୍ମିତ ପୋଲ ଉପର ଦେଇ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର, ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତର ଲକ୍ଷାଧିକ ଲୋକେ ଯିବାଆସିବା କରିଥାନ୍ତି।
Ad..
ବିନିକା ବ୍ଲକର ଜୁଲୁଣ୍ଡା, ମହଦା, ମେଘଲା, କୁଇବାହାଲ ପଞ୍ଚାୟତର ଲୋକଙ୍କ ପାଇଁ ଏହି ରାସ୍ତା ଜୀବନରେଖା କହିଲେ ଅସୁବିଧା ନାହିଁ। ଡୁଙ୍ଗୁରିପାଲି ବ୍ଲକର କପାସିରା, ବାଘବାହାଲି, ବାଟବାହାଲି, କପାସିରା, ତମାମୁରା, ମେଘଲା, କୁଇବାହାଲ, ସିଆଲି ଗାଁର ଲୋକଙ୍କ ସହିତ ସୋନପୁର ବ୍ଲକର ହଜାର ହଜାର ଲୋକ ଏହି ପୋଲ ଦେଇ ଡୁଙ୍ଗୁରିପାଲି ଅଞ୍ଚଳକୁ ଯାଇଥାନ୍ତି।
ପ୍ରାୟ ତିନି ଦଶନ୍ଧି ହେବ ଏହି ପୋଲ ଲୋକଙ୍କର ଗମାନଗମନକୁ ସହଜ କରିଥିଲା। କିନ୍ତୁ ଦିନକୁ ଦିନ ଏହା ଦୁର୍ବଳ ହୋଇଯାଇଥିବା ଅନୁମାନ କରି ତତ୍କାଳୀନ ବିଜେଡି ସରକାର ଅମଳରେ ଏହାର ପାଖରେ ଏକ ନୂଆ ପୋଲ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଛି, ଯାହାକୁ ତତ୍କାଳନୀ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଗତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ଜାନୁଆରି ୧୪ ତାରିଖରେ ଶିଳାନ୍ୟାସ କରିଥିଲେ।
କିନ୍ତୁ ଏହାର ନିର୍ମାଣ ଯେଉଁଭଳି ଭାବେ କଚ୍ଛପ ଗତିରେ ଚାଲିଛି, ଆଗାମୀ ୧ ବର୍ଷ ମଧ୍ୟରେ ଶେଷ ହେବ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି। ବର୍ତ୍ତମାନ ପୁରୁଣା ପୋଲ ଭୁଶୁଡ଼ି ପଡ଼ିଥିବାରୁ ଲୋକଙ୍କ ଯାତାୟତ ପାଇଁ ଆଉ ବଡ଼ ଅସୁବିଧା ହୋଇଛି। ବିକଳ୍ପ ରାସ୍ତା ନଥିବାରୁ ଲୋକେ ହଇରାଣର ସମ୍ମୁଖୀନ ହେଉଛନ୍ତି।
ନୂଆ ପୋଲ ନିର୍ମାଣ ନେଇ ପୃର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଜାଦ ଶତ୍ରୁ ସାହୁଙ୍କୁ ପଚାରଯିବାରୁ ସେ କହିଛନ୍ତି, ନାଳର ଜଳସ୍ତର ହ୍ରାସ ପାଇଲେ ନିର୍ମାଣକାମ ପୁଣି ଥରେ ଆରମ୍ଭ କରାଯିବ।
ପୋଲର ଗୋଟିଏ ବକ୍ସ ବ୍ଲାଡର ପଡ଼ିସାରିଛି। ଆଉ ଗୋଟିଏ ପଡ଼ିବ। ଏବେ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଉଭୟ ପାର୍ଶ୍ବରୁ ରାସ୍ତା ସିଲ କରିଛି। ଲୋକଙ୍କର ଯାତାୟତ ପାଇଁ ବିକଳ୍ପ ରାସ୍ତା ଖୋଜା ଚାଲିଛି।
Edited by k.s thakur...




