ଭଟଲି ଦଧିବାମନ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ; ସୁସ୍ଥ ହେଲେ ଦଧିବାମନ ମହାପ୍ରଭୁ...

ଭଟଲି ଦଧିବାମନ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ; ସୁସ୍ଥ ହେଲେ ଦଧିବାମନ ମହାପ୍ରଭୁ...


ବରଗଡ଼,୨୫/୦୬ : ପବିତ୍ର ରଥ ଯାତ୍ରା ଯେତେ ପାଖେଇ ଆସୁଛି, ପଶ୍ଚିମ ଓଡ଼ିଶା ର ଶ୍ରୀକ୍ଷେତ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲା ଭଟଲି ଦଧିବାମନ ପୀଠ ସେତେ ଚଳଚଞ୍ଚଳ ହୋଇଉଠୁଛି । 

            Ad..


ସ୍ନାନପୂର୍ଣ୍ଣିମା ଦିନ ସ୍ନାନ ବେଦୀରେ ବିଜେ କରି ମହା ସ୍ନାନ କରିବାପରେ ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜ୍ୱରାକ୍ରାନ୍ତ ହୋଇ ଅଣସର ପିଣ୍ଡିରେ ବିଜେ କରିଥିଲେ। ତେବେ ରାଜ ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଔଷଧ ଦ୍ଵାରା ପୁରୋହିତ ମାନଙ୍କ ସେବାଯୋଗୁ ସେ ଦଶମୂଳ ପାଞ୍ଚନ ସେବନ କରି ସୁସ୍ଥ ହୋଇଛନ୍ତି। 

         Ad..


ଏହା ସହିତ ମହାପ୍ରଭୁ ମାଉସୀ ମା ଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେପଟେ ୨୬ ତାରିଖ ନେତ୍ରୋତ୍ସବ ଦିନ ମହାପ୍ରଭୁ ଭକ୍ତ ମାନଙ୍କୁ ନବଯୌବନ ଦର୍ଶନ ଦେବାପରେ ୨୭ ତାରିଖ ମାଉସୀ ମା ମନ୍ଦିର ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସରିଛି। 

ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ନନ୍ଦିଘୋଷ ରଥ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ବଢ଼େଇ ମାନଙ୍କ ଦ୍ଵାରା ନବ ନିର୍ମିତ ନନ୍ଦିଘୋଷ ଚାହିଁ ରହିଛି କେତେବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବ ଓ ପରେ ପରେ ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ବିଜେ କରିବେ। 

ଏହି ଅପେକ୍ଷା ଯେ କେବଳ ରଥ କରିଛି ତାହା ନୁହେଁ, ଅଞ୍ଚଳବାସୀ ତଥା ଭକ୍ତ ମାନେ ମଧ୍ୟ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ବାଟ ଚାହିଁ ବସିଛନ୍ତି। ଅପରପକ୍ଷେ ଏହି ପୀଠ ର ଅନନ୍ୟ ପରମ୍ପରା ଅନୁଯାୟୀ ନବଜାତ ଶିଶୁ ମାନଙ୍କୁ ରଥଛୁଆଁ ପାଇଁ ମଧ୍ୟ ସେହି ନବଜାତ ଶିଶୁ ମାନେ ଆକୁଣ୍ଠ  ନୟନରେ ଚାହିଁ ରହିଛନ୍ତି ସେହି ଅଭୁଲା ମୁହୂର୍ତ୍ତକୁ। 

କେବେ ମହାପ୍ରଭୁ ରଥାରୂଢ଼ ହେବେ ଏବଂ ନିଜ ଶିଶୁ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବେ ସେନେଇ ସେମାନଙ୍କ ପିତାମାତା ଭାବବିହ୍ୱଳ ହୋଇପଡିଛନ୍ତି । ମହାପ୍ରଭୁଙ୍କ ଅଷ୍ଟ ଚକ ବିଶିଷ୍ଟ ରଥକୁ ସମଗ୍ର ଗ୍ରାମବାସୀ ରଥ ମହାରଣା ମାନଙ୍କ ସହିତ ମିଶି ପ୍ରସ୍ତୁତ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି। 

ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ପ୍ରସିଦ୍ଧ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିସାରିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ଆରକ୍ଷୀ ବାହିନୀ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରିସାରି ଥିବାବେଲେ ବର୍ତ୍ତମାନ ରାଜ୍ୟରେ କିଛି ଜିଲ୍ଲାରେ ବ୍ୟାପିଥିବା ଡାଇରିଆ ମୁକାବିଲା ପାଇଁ ସମସ୍ତ ଖାଦ୍ୟ ଦୋକାନୀଙ୍କୁ ମଧ୍ୟ ସତର୍କ କରି ଦିଆଯାଇଛି।

ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ଚଳିତ ବର୍ଷ ନବଗୁଞ୍ଜର ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ୨୮ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ପ୍ରସ୍ତୁତି ସରିଛି। 

ଚଳିତ ବର୍ଷ ଓଡ଼ିଆ ଅସ୍ମିତା କୁ ପାଥେୟ କରି ଭାଷା ସାହିତ୍ୟର ସୁରକ୍ଷା ସକାଶେ ପ୍ରଥମ କରି  ୩ ଦିନ ଧରି ନାଟ୍ୟ ମହୋତ୍ସବ ପାଳନ କରିବା ପାଇଁ ଯୋଜନା ରହିଥିବା କମିଟି ପକ୍ଷରୁ ଜଣାପଡିଛି । ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତିରେ ଅଞ୍ଚଳବାସୀଙ୍କ ବ୍ୟାପକ ସହଯୋଗ ରହିଥିବା ପରିଚାଳନା କମିଟି ପକ୍ଷରୁ ସଭାପତି ମୋତିଲାଲ୍ ବନଛୋର ପ୍ରକାଶ କରିଛନ୍ତି।

ଆଜି ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ଭଟଲି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରାକୁ ସୁଚାରୁ ରୂପେ ପାଳନ କରିବା ସକାଶେ ରଥଯାତ୍ରା ପରିଚାଳନା କମିଟି ସମେତ ସମସ୍ତ ପ୍ରଶାସନିକ ଅଧିକାରୀ, ଭଟଲିର ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ରଥଯାତ୍ରା ପାଳିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। 

ବୈଠକର ପ୍ରସ୍ତାବ ଅନୁଯାୟୀ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ରଥଯାତ୍ରା ପାଳିତ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ତେବେ ରଥ ସମଲେଶ୍ୱରୀ ମନ୍ଦିର, ପଞ୍ଚାୟତ ଅଫିସ ଛକ, ଥାନା ଛକ, ବସ୍‌ଷ୍ଟାଣ୍ଡ ଛକ ଓ ବିଜୟା ଛକରେ ରହିବା ସହିତ ସେଠାରେ ନବଜାତ ଶିଶୁମାନଙ୍କର ରଥଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

ରଥଯାତ୍ରା ସମୟରେ ମାଉସୀ ମାଁ ମନ୍ଦିର ପରିସରରେ ଆଇଁଷ ବିକ୍ରି କୁ ସମ୍ପୂର୍ଣ୍ଣ ବନ୍ଦ  କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାସ୍ତା, ବଡ଼ଦାଣ୍ଡ ଏବଂ ମାଉଁସୀ ମାଁ ମନ୍ଦିରରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବାପାଇଁ ଭଟଲି ଗ୍ରାମ ପଞ୍ଚାୟତକୁ ଦାୟିତ୍ଵ ଦିଆଯାଇଥିଲା। ପଞ୍ଚାୟତ ତରଫରୁ ଗତ ବର୍ଷ ଏହି କାର୍ଯ୍ୟ ପାଇଁ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ବେଳେ ଏହା ପାଇଁ ସ୍ଵତନ୍ତ୍ର ଅନୁଦାନ ଦେବାପାଇଁ ପଞ୍ଚାୟତ ପ୍ରତନିଧି ଅନୁରୋଧ କରିଥିଲେ।। 

ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା  ରକ୍ଷା ତଥା ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ  ୩୦୦ ରୁ ଉର୍ଦ୍ଧ୍ବ ପୋଲିସ ମୁତୟନ ରହିବେ ବୋଲି ଭଟଲି ଥାନାଧିକାରୀ ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ ମଦନଲାଳ ପଣ୍ଡା, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପ୍ରମୋଦ ମେହେର, ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର ତଥା ଭଟଲି ଥାନାଧିକାରୀ ବିଭୁତି ଭୁଷଣ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...


Post a Comment

Previous Post Next Post