ସରକାର ମାନିଲେ ଧାନକିଣାରେ ଅନିୟମିତତା, ଓଡ଼ିଶା ମଣ୍ଡିରେ ଛତିଶଗଡ଼ ଧାନ : ଉପମୁଖ୍ୟମନ୍ତ୍ରୀ...

ସରକାର ମାନିଲେ ଧାନକିଣାରେ ଅନିୟମିତତା, ଓଡ଼ିଶା ମଣ୍ଡିରେ ଛତିଶଗଡ଼ ଧାନ : ଉପମୁଖ୍ୟମନ୍ତ୍ରୀ...


ବଲାଙ୍ଗିର,୧୯/୦୬ : ବଲାଙ୍ଗିର ଜିଲ୍ଲା ମିଲ୍‌କୁ ଆସୁଛି ଛତିଶଗଡ଼ରୁ ଧାନ। ଛତିଶଗଡ଼ ଧାନକୁ ମିଲର୍ସମାନେ କମ୍‌ ଦରରେ କିଣି ରାଜ୍ୟ ସରକାରଙ୍କ ବୋନସ ସହାୟତାର ଫାଇଦା ନେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। କେବଳ ଏତିକି ନୁହଁ ଉକ୍ତ ଧାନକୁ କିଣିବା ପାଇଁ ମିଲର୍ସମାନେ ସରକାରଙ୍କ ଉପରେ ଚାପ ପକାଉଥିବା ସ୍ପଷ୍ଟ ହୋଇଛି।

         Ad..


ଏକଥା ନିଜେ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ମଙ୍ଗଳବାର ବଲାଙ୍ଗିର ଜିଲ୍ଲା ପଥରଚେପାଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ମତ ରଖିଛନ୍ତି। କୃଷିମନ୍ତ୍ରୀ ସମାବେଶରେ କହିବା ପରେ ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ଧାନକିଣା ଅନିୟମିତତା ପଦାରେ ପଡ଼ିଛି। ପୂର୍ବରୁ ହୋଇଥିବା ଅନିୟମିତତା ମଧ୍ୟ ସ୍ପଷ୍ଟ ହୋଇଛି।

        Ad..


ବଲାଙ୍ଗିର ଜିଲ୍ଲା ପଥରଚେପାଠାରେ ମଙ୍ଗଳବାର ରାଜ୍ୟସ୍ତରୀୟ କୃଷକଶକ୍ତି ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସିଂହଦେଓ ନିଜ ଅଭିଭାଷଣ ରଖିଥିବା ବେଳେ ଧାନକିଣା ପ୍ରସଙ୍ଗ ସାମ୍ନାକୁ ଆଣିଥିଲେ। 

ଯାହାକି ଏବେ ତାଙ୍କ ନିଜ ସରକାରଙ୍କୁ ବିବାଦକୁ ଟାଣି ଆଣିଛି। ବଲାଙ୍ଗିର ତଥା ଆଖପାଖ ଜିଲ୍ଲାର ମିଲ୍‌କୁ ଛତିଶଗଡ଼ରୁ ଧାନ ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି। ଗତ କିଛି ଦିନ ତଳେ ତୁଷୁରା ଅଞ୍ଚଳରେ ଏକ ଧାନ ବୋଝେଇ ଟ୍ରକ୍‌କୁ ପ୍ରଶାସନ ଜବତ କରିଥିଲା। ଉକ୍ତ ଧାନ ଛତିଶଗଡ଼ରୁ ଆସିଥିବା ହୋଇଥିବା ଆଲୋଚନା ହୋଇଥିଲା। 

ଅଭିଯୋଗ ଅନୁସାରେ ଓଡ଼ିଶା ସୀମାକୁ ଲାଗିରହିଥିବା ଛତିଶଗଡ଼ ଅଞ୍ଚଳରୁ ବହୁ ପରିମାଣର ଧାନ ଓଡ଼ିଶାକୁ ଚାଲାଣ ହେଉଥିବାବେଳେ ଏହାକୁ ମିଲର୍ସମାନେ ସିଧାସଳଖ ଦଲାଲଙ୍କ ସହାୟତାରେ କମ୍‌ ଦରରେ କିଣୁଛନ୍ତି। ସେହି ଧାନକୁ ଓଡ଼ିଶାର ବିଭିନ୍ନ ମଣ୍ଡିରେ ମିଥ୍ୟା ଏଣ୍ଟ୍ରିକରି ସରକାରୀ ସ୍ତରରେ କିଣୁଥିବା ଅଭିଯୋଗ ହୋଇଛି। ଫଳରେ ମଣ୍ଡିମାନଙ୍କରେ ଟାର୍ଗେଟ ଆଗୁଆ ପୂରଣ ହେଉଥିବା ଜଣାପଡ଼ିଛି। 

କିନ୍ତୁ ଚଳିତ ଖରିଫ ଓ ରବିରେ ବଲାଙ୍ଗିର ଜିଲ୍ଲାରେ ବହୁ ସଂଖ୍ୟାରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହି ଅନୁସାରେ ଖରିଫରେ ଅଧିକ ପରିମାଣର ଧାନକିଣା ଯାଇଥିବାବେଳେ ରବି ଧାନକିଣା ଟାର୍ଗେଟ ମଧ୍ୟ ବୃଦ୍ଧି କରାଯାଇଛି। ଦେଖିବାକୁ ଗଲେ ଏଥିପାଇଁ ଗୋଟିଏ ପଟେ ରାଜ୍ୟ ସରକାରଙ୍କ ସହଯୋଗ ରହିଥିବାବେଳେ ଅନ୍ୟପଟେ ରାଜ୍ୟ କୃଷିମନ୍ତ୍ରୀ ଏହି କାରବାରର ସତ୍ୟତାକୁ ପଦାରେ ପକାଇଛନ୍ତି।

କୃଷକ ଶକ୍ତି ସମାବେଶରେ ଏନେଇ ନିଜ ଅଭିଭାଷଣରେ କହିବା ସହ ଛତିଶଗଡ଼ ଧାନକୁ କିଣିବା ପାଇଁ ମିଲର୍ସ ମାନେ ଚାପ ପକାଉଥିବା ମଧ୍ୟ ସେ କହିଛନ୍ତି। ଉକ୍ତ ମିଲର ମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ କଳା ତାଲିକାଭୁକ୍ତ କରିବେ ବୋଲି କୃଷି ମନ୍ତ୍ରୀ କହିଥିଲେ। 

ଖରିଫ ଓ ରବିରେ ଚାଷୀମାନଙ୍କୁ ଦିଆଯାଇଥିବା ବୋନସ ଟଙ୍କା ପାଇଁ ଏହିଭଳି କାରବାର ଚାଲିଥିବା ପରୋକ୍ଷରେ କହିଥିବାବେଳେ ଛତିଶଗଡ଼ରୁ ଧାନ ଚାଲାଣକୁ ନେଇ ସ୍ୱୀକାର କରିଛନ୍ତି। ଏହି ଧାନ ପ୍ରାୟତଃ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। 

ତେବେ ସତରେ ଏହି ଚାଲାଣକୁ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବେ ନା ସମାବେଶରେ ମାଇଲେଜ ନେବାକୁ ମନ୍ତ୍ରୀ କଥା ଛଳରେ ଏହି ସବୁ କଥା କହିଗଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

ରବି ଧାନକିଣାକୁ ଆଉ କିଛି ଦିନ ବାକିଥିବାବେଳେ ବଲାଙ୍ଗିର ଜିଲ୍ଲାରେ ଏହିଭଳି ଚାଲାଣ ରୋକିବାକୁ ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରୁଛି ଓ କେତେ ମିଲର୍ସ ଉପରେ ରାଜ୍ୟ ସରକାର କା୍‌ର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।




Edited by k.s thakur...


Post a Comment

Previous Post Next Post