ପୁଣି ଥରେ ଜିଲ୍ଲପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୁରେନା ଗ୍ରାମବାସୀ...
ପଦମପୁର,୧୫/୦୪ :- ସ୍ଥାନୀୟ ରାଜ ବୋଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପ୍ରତି ହୋଇଥିବା ଚରମ ଅବହେଳାର ପ୍ରତିବାଦ କରିଛନ୍ତି ପୁରେନା ଗ୍ରାମବାସୀ।
Ad..
ଚିର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପୁରେନା ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ (ମାଡ଼ା)ଅଞ୍ଚଳ ଭାବରେ ତଥା ଉପଖଣ୍ଡର ସର୍ବାଧିକ ଶୁଷ୍କ ଅଞ୍ଚଳ ମଧ୍ୟରୁ ଗୋଟିଏ।୧୯୮୫ ମସିହାରୁ ଏଠାରେ ଏକ ହାଇସ୍କୁଲ ପ୍ରତିଷ୍ଠିତ ହୋଇ ଏ ଅଞ୍ଚଳରେ ଶିକ୍ଷାର ଆଲୋକ ପ୍ରଦାନ କରି ଅନେକ ସୁନାଗରିକ ଗଢ଼ି ତୋଳିଛି ଯେଉଁମାନେ କି ଏବେ ଦେଶ ତଥା ବିଦେଶରେ ପ୍ରତିଷ୍ଠିତ ହୋଇ ସୁନାମ ଅର୍ଜନ କରିଛନ୍ତି।
କିନ୍ତୁ ଦୁଃଖର ବିଷୟ ଯେ ସରକାରୀ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଗ୍ରାମବାସୀ ମାନଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବିଦ୍ୟାଳୟଟି ସମ୍ପୂର୍ଣ ବନ୍ଦ ହୋଇଯିବା ଉପରେ। ଏପରି ବିଦ୍ୟାଳୟ ମାନଙ୍କୁ ଶିକ୍ଷକ ନିଯୁକ୍ତି ସମ୍ପୂର୍ଣ୍ଣ ଭାବରେ ବନ୍ଦ ଥିଲା କିନ୍ତୁ ଗତ ଫେବୃଆରୀ ମାସରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲା କିନ୍ତୁ ଦୁର୍ଭାଗ୍ୟ ଯେ ଏଠାରେ ଅନେକଗୁଡ଼ିଏ ପଦବୀ ଖାଲି ପଡ଼ିଥିବା ସତ୍ତ୍ୱେ ମଧ୍ୟ ଗୋଟିଏ ବି ଶିକ୍ଷକ ନିଯୁକ୍ତି ହେଲାନାହିଁ ଏହାର ପ୍ରତିବାଦ ସ୍ବରୂପ ଗତ ଫେବୃଆରୀ ମାସ ୩ତାରିଖରେ ପାଇକମାଲ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗ୍ରାମ୍ୟ କମିଟି, ସ୍କୁଲ ପରିଚାଳନା କମିଟି ତଥା କିଛି ଶିକ୍ଷା ପ୍ରେମୀ ଅଭିଯୋଗ କରିଥିଲେ।
ସେଠାରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ପ୍ରତିନିଧି ତତ୍କାଳୀନ ବି ଇ ଓ ଶ୍ରୀ ଚୂଡାମଣି ବାରିକ ଆସି କମିଟି ସମ୍ମୁଖରେ ଆସନ୍ତା ୭ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି କରିବାର ନିର୍ଭୟ ପ୍ରତିଶ୍ରୁତି ଦେଇ ଏକ ଆଶାର ସଂଚାର କରିଥିଲେ ଓ ଯେନତେନ ପ୍ରକାରେ ଏକ ଖେଳଶିକ୍ଷକଙ୍କୁ ନିଯୁକ୍ତ କରାଗଲା।
ଯେହେତୁ ସ୍କୁଲରେ ଜୁନ ମାସ ପରେ କେବଳ ଜଣେ ବିଜ୍ଞାନ ଶିକ୍ଷକ ଓ ଖେଳଶିକ୍ଷକ ରହିବେ ତାହାକୁ ଦୃଷ୍ଟିରେ ରଖି ଅଭିଭାବକ ମାନେ ତାଙ୍କ ପୁଅଝିଅଙ୍କର ଭବିଷ୍ୟତକୁ ଦେଖି ନିକଟବର୍ତ୍ତୀ କିଛି ସ୍କୁଲରେ ନାମ ଲେଖାଇବା ପାଇଁ ବାଧ୍ୟ ହେଉଛନ୍ତି। ସ୍କୁଲ ପରିଚାଳନା କମିଟି ମଧ୍ୟ ନିକଟରେ ସ୍ଥାନୀୟ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଜିଲ୍ଲା ଶିକ୍ଷାଅଧିକାରୀ ନିଯୁକ୍ତି ଦିଆଯିବ କହି ଚୁପ୍ ରହିବାର କାରଣ ସମସ୍ତଙ୍କୁ ଅନ୍ଧାରରେ ରଖିଛି । ବର୍ତ୍ତମାନ ସୁଦ୍ଧା କୌଣସି ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧତ୍ଵ କରୁଥିବା ପଦମପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ଆସନ୍ତା ସାତଦିନ ମଧ୍ୟରେ ଆଉ ଗୋଟିଏ ଶିକ୍ଷକ ନିଯୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଛାତ୍ରଛାତ୍ରୀ ସଂଖ୍ୟା ଦେଖି ପୁଣି ନିଯୁକ୍ତ କରାଯିବ କହିବା ଅର୍ଥ ସ୍କୁଲକୁ ପରୋକ୍ଷ ଭାବରେ ବନ୍ଦ କରିବା କାରଣ ଶିକ୍ଷକ ନିଯୁକ୍ତି ନ ହେବାରୁ ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ଦିନକୁ ଦିନ କମିକମି ଯାଉଛି ଫଳରେ ବହୁ ଛାତ୍ରଛାତ୍ରୀ ଅନ୍ୟ ଜାଗାରେ ନାମ ଲେଖାଇବା ପାଇଁ ବାଧ୍ୟ ହେଉଛନ୍ତି।
ଯେଉଁମାନଙ୍କର ଆର୍ଥିକ ସ୍ଵଚ୍ଛଳତା ନାହିଁ ସେହିମାନେ ବାଧ୍ୟ ହୋଇ ଅନ୍ୟ ବୃତ୍ତିକୁ ଆପଣେଇ ନେଉଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାରୀ ବିଦ୍ୟାଳୟ ମାନଙ୍କରେ ଆବଶ୍ୟକ ସଂଖ୍ୟକ ଛାତ୍ରନ ଥିଲେ ମଧ୍ୟ ମାଳମାଳ ଶିକ୍ଷକ ଅଛନ୍ତି ଅଥଚ ଅନ୍ୟ ସ୍କୁଲରେ ଶିକ୍ଷକ ଅଭାବରୁ ସ୍କୁଲ ଗୁଡ଼ିକ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହେଉଛି।
ବିଭିନ୍ନ ସମୟରେ ବରଗଡ଼ ଜିଲ୍ଲାର କେତେକ ସ୍କୁଲରେ ସରକାରୀ ସ୍କୁଲରୁ ଡେପୁଟେଶନରେ ଶିକ୍ଷକ ଆସି ଏପରି ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରୁଥିଲେ ବି ଏ ଅଂଚଳ ପ୍ରତି ଏପରି ବୈମାତୃକ ମନୋଭାବ ଯେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ କରିବ କହିହେବ ନାହିଁ।
ଦୀର୍ଘ ଚାଳିଶ ବର୍ଷତଳୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ବନ୍ଦ ହୋଇଗଲେ ନୂତନ ଭାରତ ସ୍ୱାକ୍ଷର କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ତ? ଆଜିର ଏହି ଅଭିଯୋଗ ପ୍ରକୋଷ୍ଠରେ ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ଭୁମନ୍ୟୁ ସାହୁ, ସଭ୍ୟ ଶ୍ରୀ ରଣଜିତ ବୁଡେକ୍, ସଭ୍ୟା ଶ୍ରୀମତୀ ଲତା ଗୁରୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଡଲି ବେହେରା, ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ସଞ୍ଜୀବ ବେହେରା, ଶ୍ରୀ ଜୟ ଲାଲ ଗୁରୁ ଓ କିଛି ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ଯୋଗଦେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
Report : Bijay ku sahu
Edited by k.s thakur...


