ପଦ୍ମପୁର ର ନିର୍ବାଚିତ ବିଧାୟିକା ଓ ସାଂସଦ ଙ୍କୁ ପ୍ରଶ୍ନ ଆଉ କେତେଦିନ ପଦ୍ମପୁର ଅଂଚଳ ପ୍ରତାରଣା ର ଶିକାର ହେବ ?...

ପଦ୍ମପୁର ର ନିର୍ବାଚିତ ବିଧାୟିକା ଓ ସାଂସଦ ଙ୍କୁ ପ୍ରଶ୍ନ ଆଉ କେତେଦିନ ପଦ୍ମପୁର ଅଂଚଳ ପ୍ରତାରଣା ର ଶିକାର ହେବ ?...


ପଦ୍ମପୁର,୧୯/୦୪ : ମରୁଡି ପ୍ରପୀଡ଼ିତ ଆଦିବାସୀ ବହୁଳ ଚିର ଅବହେଳିତ ପଦ୍ମପୁର ଅଂଚଳ ରେ ସ୍ୱାଧୀନତା ର 77ବର୍ଷ ପରେ ମଧ୍ୟ ଜଳସେଚନ ର ବ୍ୟବସ୍ଥା ହୋଇ ପାରିଲା ନାହିଁ। ରାଜନୈତିକ ପଶାପାଲି ରେ କେବେ ଅଙ୍ଗ ନଦୀ ର ଚିରୋଳି ଠାରେ ନଦୀବନ୍ଧ ପାଇଁ ଶୁଭ ଦିଆଗଲା ତ ପୁଣି କେବେ ପୂଝରୀପାଲି ଠାରେ ଭିତତପ୍ରସ୍ତର ସ୍ଥାପନ କରାଗଲା। 

Ad..


ନିର୍ବାଚନୀ ସଭା ରେ ମୁଖ୍ୟମନ୍ତ୍ରୀ ଅଙ୍ଗବନ୍ଧା ଯୋଜନା ପାଇଁ ଅର୍ଥରାଶି ଘୋଷଣା କଲେ, ଖବର କାଗଜ ପୃଷ୍ଠା ରେ ପ୍ରକାଶିତ ହେଲା ଲୋକ ଖୁସିହେଲେ ମାତ୍ର ବାସ୍ତବତା ହେଲା ଆଜି ମଧ୍ୟ ପଦ୍ମପୁର ଉପଖଣ୍ଡ ର ମାତ୍ର 17%ଜମି ଜଳସେଚିତ। ଜଳସେଚନ ଅଭାବରୁ କ୍ରମାଗତ ଭାବେ ଚାଷୀକୁଳ ମରୁଡିର ଶିକାର ହୋଇ ଆର୍ଥିକ ମେରୁଦଣ୍ଡ ଦୋହଲି ଗଲାଣି। 

ରୋଜଗାର ଅଭାବରୁ ଲୋକେ ଭିଟାମାଟି ଛାଡି ଦାଦନ ଯାଉଛନ୍ତି। ଲୋକଙ୍କର ଆର୍ଥିକ ସ୍ଥିତି ଅତି ଦୁର୍ବଳ ତଥାପି ରାଜନୈତିକ ବୟନବାଜୀ ଜୋର ରେ ଚାଲିଛି କିନ୍ତୁ ନା ଚିରଳି ହେଲା ନା ପୂଝରୀପାଲି ହେଲା ନା ବିକଳ୍ପ ଜଳସେଚନ ର ବ୍ୟବସ୍ଥା କରାଗଲା। ଅଙ୍ଗ ନଦୀ ଜଳସେଚନ ବଦଳରେ ବାଲି ମାଫିଆ ଙ୍କ ଅତ୍ୟାଚାର ର ଶିକାର ହେଲା।

1975 ମସିହା ରେ ଜଷ୍ଟିସ ରାଜକିଶୋର ଦାସ କମିଶନ ସୁପାରିଶରେ ବୋରାସମ୍ବର ଜ଼ିଲ୍ଲା କଥା ଉଲ୍ଲେଖ ଅଛି। 1990 ରେ ବିଜୁ ପଟନାୟକ ନୂତନ ଜ଼ିଲ୍ଲା ଗଠନ ପାଇଁ ଜ଼ିଲ୍ଲା ପୁନର୍ଗଠନ କମିଟି ବସାଇଲେ। ପଦ୍ମପୁର ଉପଖଣ୍ଡ କୁ ଜ଼ିଲ୍ଲା ମାନ୍ୟତା ପାଇଁ ଜୋରଦାର ଆନ୍ଦୋଳନ ହେଲା କିନ୍ତୁ ପରିଶେଷରେ ଅନ୍ୟ ଛୋଟ ଛୋଟ ଅଂଚଳ ଜ଼ିଲ୍ଲା ମାନ୍ୟତା ପାଇଲେ କିନ୍ତୁ ପଦ୍ମପୁର ଜ଼ିଲ୍ଲା ଘୋଷଣା ହେଲାନାହିଁ ବରଂ ଏକ ଜଳସେଚିତ ଉନ୍ନତ ଉପଖଣ୍ଡ ରେ ମିଶାଇ ଦେଇ ଏହି ଅଂଚଳ ର ବିକାଶ କୁ ଅଟକାଇ ଦିଆଗଲା।

ବିଜୟରଞ୍ଜନ ସିଂ ବରିହା ଙ୍କ ଅକାଳ ମୃତ୍ୟୁ ପରେ ଉପନିର୍ବାଚନ ଘୋଷଣା ହେଲା। ଜ଼ିଲ୍ଲା ଦାବି ଏକ ପ୍ରମୁଖ ପ୍ରସଙ୍ଗ ହୋଇ ଛିଡାହେଲା। ଶାସକ ବିଜୁ ଜନତା ଦଳ ପାଇଁ ଏହି ଉପନିର୍ବାଚନ ରେ ବିଜୟ  ଲାଭ କରିବା ସମ୍ମାନ ର ବିଷୟ ଥିଲା।ସବୁ କ୍ଷେତ୍ର ରେ ଅବହେଳିତ ପଦ୍ମପୁର ଆସନ ରେ ପରାଜୟ ସୁନିଶ୍ଚିତ ଭାବି ମୁଖ୍ୟମନ୍ତ୍ରୀ ନିଜେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସଭାରେ ଜ଼ିଲ୍ଲା ଗଠନ ପ୍ରତିଶୃତି ଦେଲେ ଲୋକେ ବିଶ୍ୱାସ କରି ଭୋଟ ମଧ୍ୟ ଦେଲେ।

ବିଜୟୀ ହୋଇ ଧନ୍ୟବାଦ ଦେବାକୁ ଆସି ଡ଼ିସେମ୍ବର 2023ସୁଦ୍ଧା ଜ଼ିଲ୍ଲା ସାକାର ହେବ ବୋଲି କହିକି ଗଲେ। ଲୋକେ ଖୁସି ବ୍ୟକ୍ତ କଲେ ମାତ୍ର ଗୋଟେ ବର୍ଷ ବିତିଗଲା ପରେ ମଧ୍ୟ କୌଣସି ପ୍ରକ୍ରିୟା ଆରମ୍ଭ କଲେ ନାହିଁ କଣ୍ଟ ପୁରିଲା ମାତ୍ର ଜ଼ିଲ୍ଲା ହୋଇ ପାରିଲା ନାହିଁ। ନିର୍ବାଚିତ ବିଧାୟିକା ପ୍ରଶ୍ନ ମଧ୍ୟ କଲେ ନାହିଁ ଟିକଟ କଟିଯିବ ବୋଲି ମୁହଁ ଚୁପ। ଅଂଚଳବାସୀଙ୍କ ଦୀର୍ଘ ଦିନ ର ସ୍ବପ୍ନ ଚୁରମାର ହୋଇଗଲା ଏବଂ ପଶାପାଲି ରେ ଅଞ୍ଚଳ ର ବିକାଶ କୁ ବାଜି ରେ ଲଗେଇ ଦିଆଗଲା କେବଳ ନିଜସ୍ୱ ସ୍ୱାର୍ଥ ପାଇଁ।

ଉପଖଣ୍ଡ ରେ ଗୋଟିଏ ବି ସରକାରୀ ମହାବିଦ୍ୟାଳୟ ନାହିଁ। ଶିକ୍ଷା ର ଅବସ୍ଥା ଅତି ଶୋଚନୀୟ ଏଠାରେ। ରାଜନୈତିକ ଇଛାଶକ୍ତି ର ଅଭାବ ଯୋଗୁଁ ଏଠି ଭଲ ଶିକ୍ଷାନୁଷ୍ଠାନ ଟିଏ ବି ନାହିଁ। ନାଗରିକ କମିଟି ର ଦାବି ଉପନିର୍ବାଚନ ବେଳେ ଖୋରାକ ଯୋଗାଇଲା। ପଦ୍ମପୁରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବ ବୋଲି ଘୋଷଣା ମଧ୍ୟ ହେଲା ଓ ସେଥିନିମିତ୍ତ ସ୍ଥାନ ନିରୂପଣ ହେଲା। 

ନୂତନ କୋଠାଘର ଓ ପରିସର ନିର୍ମାଣ ପର୍ଯ୍ୟନ୍ତ ସ୍ଥାନୀୟ ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ରେ ଅସ୍ଥାୟୀ ଭାବେ ଶିକ୍ଷାଦାନ ପାଇଁ କମିଟି ଆସି ସ୍ଥାନ ନିରୂପଣ କରିକି ଗଲେ. ଲୋକଙ୍କ ମନରେ ଆଶା ସଂଚରିତ ହେଲା ଭଲ ଶିକ୍ଷାନୁଷ୍ଠାନ ଟେ ହେବ ଶିକ୍ଷା ର ମାନ ବୃଦ୍ଧିହେବ କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇବା ବେଳକୁ ପଦ୍ମପୁର ର ନାମ ନାହିଁ। 

ପଡୋଶୀ ବଲାଙ୍ଗୀର ଜ଼ିଲ୍ଲା ରେ ପାଟଣାଗଡ଼ ଓ କଣ୍ଟାବାଞ୍ଜି ରେ କେନ୍ଦ୍ରୀୟ ବିଦ୍ୟାଳୟ ହେବ ଓ 19 ଏପ୍ରିଲ 2025ରେ ଶୁଭଉଦ୍ଘାଟନ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦ୍ମପୁର ମାଟିରେ ଖୋଦ ନିଜେ ଘୋଷଣା କରିଥିଲେ। ବିଡମ୍ବନା ର ବିଷୟ ଶିକ୍ଷା କ୍ଷେତ୍ର ରେ ମଧ୍ୟ ଏହି ଅଂଚଳ ର ଭବିଷ୍ୟତ ବିକାଶ କୁ ରାଜନୀତି ର ପଶାପାଲି ରେ ଜଳାଞ୍ଜଳି ଦେଇଦିଆଗଲା।

ଶାସକ ଦଳ ରେ ଥିଲେ ନିର୍ବାଚିତ ପ୍ରତିନିଧି ମୁହଁ ରେ ତୁଣ୍ଡି ବାନ୍ଧି ବସନ୍ତି। ବିରୋଧୀ ଦଳ ରେ ଥିଲେ ସରକାର ଅପାରଗ, ଆମେ ଏୟା କରିଦେବୁ ସେୟା କରିଦେବୁ ବୋଲି ତୁମ୍ଭି ତୋଫାନ କରନ୍ତି। ରାଜନୈତିକ ବୟାନ ବାଜି ଖବରକାଗଜ,ସାମାଜିକ ଗଣମାଧ୍ୟମ  ରେ ଚର୍ଚ୍ଚା ର ଖୋରାକ ଯୋଗାଏ। ନିରୀହ ଜନସାଧାରଣ ଭକୁଆ ଙ୍କ ପରି ଚାହିଁ ବସିଥାନ୍ତି। କିନ୍ତୁ ନିର୍ବାଚନ କଣ ପ୍ରକୃତ ରେ ବିକାଶ ର ମାପକାଠି କି ?

ପ୍ରତିଶ୍ରୁତି ପାଳନ ହୋଇ ନ ପାରିଲେ ତାର ଉତ୍ତରଦାୟିତ୍ୱ ପ୍ରତିନିଧି ନେବାର ସତସହାସ ଅଛି କି?ପଦ୍ମପୁର ଅଂଚଳ ବାସୀ ଆଉ କେତେଦିନ ରାଜନୈତିକ ପ୍ରତାରଣା ର ଶିକାର ହେବେ ନିର୍ବାଚିତ ପ୍ରତିନଧି ଦୟାକରି ଉତ୍ତର ଦିଅନ୍ତୁ ବୋଲି ଅଜିତ କୁମାର ଶତପଥୀ ଆଇନ ପରାମର୍ଶ ଦାତା ରାଜବୋରାସମ୍ବର କୃଷକ ସଂଗଠନ ପଦ୍ମପୁର ପ୍ରଶ୍ନ ଉଠାଇଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post