ଆନନ୍ଦପୁର କଲେଜ ପାଇଁ ୭ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

ଆନନ୍ଦପୁର କଲେଜ ପାଇଁ ୭ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ...


ଆନନ୍ଦପୁର,୧୦/୦୩ : ଉଚ୍ଚଶିକ୍ଷା କ୍ଷେତ୍ରରେ ଆନନ୍ଦପୁର ମହାବିଦ୍ୟାଳୟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଛାତ୍ରଛାତ୍ରୀ ବଡ଼ ସ୍ବପ୍ନ ଦେଖି ଆତ୍ମବିଶ୍ବାସର ସହ ଆଗକୁ ବଢ଼ିଲେ ସଫଳତା ନିଶ୍ଚିତ ମିଳିବ ବୋଲି ରବିବାର ଆନନ୍ଦପୁର ମହାବିଦ୍ୟାଳୟର ୬୧ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। 

Ad..


ଆନନ୍ଦପୁର କଲେଜର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗରୁ ୩ କୋଟି, ଡିଏମ୍‌ଏଫ୍‌ରୁ ୨ କୋଟି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ। ଏହାଛଡ଼ା କଲେଜକୁ ସ୍ବୟଂଶାସିତ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।    Ad..


ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ପରିଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ପ୍ରତିବର୍ଷ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପରୀକ୍ଷାରେ ଏହି କଲେଜର ଛାତ୍ରଛାତ୍ରୀ ଶୀର୍ଷ ସ୍ଥାନ ଅଧିକାର କରି ଅନୁଷ୍ଠାନର ଗରିମାକୁ ବହୁଗୁଣିତ କରିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର କଲେଜରେ ପଢ଼ିବା ସମୟର ସ୍ମୃତି ବଖାଣିଥିଲେ। ସମ୍ମୁଖରେ ବସିଥିବା ନିଜ ସହପାଠୀଙ୍କ ସମେତ ବିପଦ ସମୟରେ ସହଯୋଗ କରୁଥିବା ବନ୍ଧୁମାନଙ୍କ ସମ୍ପର୍କରେ କହିଥିଲେ। ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କ ସରକାର ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇଛନ୍ତି।

ଉଚ୍ଚଶିକ୍ଷା ଓ ଗଣଶିକ୍ଷା ପାଇଁ ବଜେଟ୍‌ରେ ୪୧ ହଜାର ୨୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଯୁବଗୋଷ୍ଠୀଙ୍କୁ ନିଯୁକ୍ତିମେଳା ମାଧ୍ୟମରେ ସରକାରୀ ଓ ‌ବେସରକାରୀ ସଂସ୍ଥାରେ ନିଯୁକ୍ତି ଦିଆଯାଉଛି। ଆନନ୍ଦପୁର ଷ୍ଟାଡିୟମ୍‌ର ନବକଳେବର ପାଇଁ ୨୦ କୋଟି, ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ବିକାଶ ପାଇଁ ୨ କୋଟି ଅନୁଦାନ ଘୋଷଣା କରିବା ସହିତ ହାଟଡିହି ବ୍ଲକ୍‌ ମରୈଗାଁ-ବଳିପୁର ରାସ୍ତା ନିର୍ମାଣ ପାଇଁ ଓମ୍‌ବାଡ୍‌ସିରୁ ୬୫ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। 

ଏଥିସହିତ ଆନନ୍ଦପୁର ଉପଖଣ୍ଡରେ ୪୨କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ୧୧୮କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।  

ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷାନୀତି ଲାଗୁ କରିବାକୁ ସରକାର ପଦକ୍ଷେପ ନେଇଥିବା କହିଥିଲେ। 

ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ବିଶାଳ ସିଂହ, ବିଜେପି ନେତା ଆଲୋକ ସେଠୀ ଓ ଡ. ଶମ୍ଭୁନାଥ ରାଉତ ମଞ୍ଚାସୀନ ଥିଲେ। ଅଧ୍ୟାପକ ରଘୁଦିପ୍ତୀ ନାୟକ ମଞ୍ଚ ପରିଚାଳନା କରିଥିଲେ। କଲେଜର ଉପଦେଷ୍ଟା ଅଧ୍ୟାପକ ନାରାୟଣ ଦାସ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। କଲେଜର ଅଧ୍ୟକ୍ଷ ଡ. ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...





Post a Comment

Previous Post Next Post