ବିକଶିତ ଭାରତ ଗଠନରେ ଯୁବବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି...

ବିକଶିତ ଭାରତ ଗଠନରେ ଯୁବବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି...


ଭୁବନେଶ୍ୱର,୧୦/୦୭(ବ୍ୟୁରୋ) : ନାଇଜର ର ୧୫ତମ ସମାବର୍ତ୍ତନ ଉତ୍ସବ ଆଜି (ଗୁରୁବାର) ଅନୁଷ୍ଠିତ ହୋଇଯାଇଛି। ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ଅନୁଷ୍ଠିତ ଉତ୍ସବର ମୁଖ୍ୟଅତିଥି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଯେ...

         Ad..


ଆଜି ମହାନ ବୈଜ୍ଞାନିକ ହୋମି ଭାଭା ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ମୁଁ ମୋ ସମ୍ମୁରେ ଶତାଧିକ ହୋମି ଭାଭାଙ୍କୁ ବସିଥିବାର ଦେଖିପାରୁଛି। କେବଳ ଗବେଷଣା ନୁହେଁ, ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ ପ୍ରତି ନାଇଜରର ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ।

ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ବିଜ୍ଞାନର ସାମର୍ଥ୍ୟ ହିଁ ଏହାର ସ୍ଥାୟୀ ସମାଧାନ ବାହାର କରିପାରିବ। ବୈଜ୍ଞାନିକ ଦକ୍ଷତା ଏବେ କୌଣସି ବିକଳ୍ପ ନୁହେଁ, ବରଂ ଏହା ଆମ ପ୍ରଗତିର ମୂଳଦୁଆ। 

ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା ଜିଜ୍ଞାସାକୁ ସଦାସର୍ବଦା ଜାଗ୍ରତ ରଖି ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା ସହ ନିଜ ଜ୍ଞାନକୁ ମାନବ ସମାଜର କଲ୍ୟାଣରେ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଉତ୍ସବରେ‌ ଯୋଗଦେଇଥିବା ରାଜ୍ୟପାଳ ହରିବାବୁ କମ୍ଭମପାଟି ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଲେ ଏଠାରେ ଛାତ୍ରଛାତ୍ରୀ କେବଳ ଏକ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପାଉନାହାନ୍ତି, ବରଂ ସମାଜ ପ୍ରତି ଏକ ବଡ଼ ଦାୟିତ୍ୱକୁ ନିଜ କାନ୍ଧକୁ ନେଉଛନ୍ତି। 

ବିଶ୍ୱରେ ସମସ୍ତ ସମସ୍ୟାର ସମାଧାନ କେବଳ ବିଜ୍ଞାନ ମାଧ୍ୟମରେ ହିଁ ସମ୍ଭବ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଆଜି ଉତ୍ତୀର୍ଣ୍ଣ ହେଉଥିବା ଯୁବପିଢ଼ି ବିଜ୍ଞାନ ଗବେଷଣା ଏବଂ ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ବିଶେଷ ଅବଦାନ ରଖୁଛନ୍ତି । 

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଗତି ହିଁ ଏକ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ।ଅନୁଷ୍ଠାନର ଶିକ୍ଷାଦାନର ପଦ୍ଧତି ଓ ଗବେଷଣା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇଥିବାରୁ ସେ ଏହାକୁ ପ୍ରଶଂସା କରିଥିଲେ। 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଇଜରକୁ ଏକ ଅନନ୍ୟ ଅନୁଷ୍ଠାନ ଭାବେ ବର୍ଣ୍ଣନା କରିଛନ୍ତି। ଅତିକମ୍ ସମୟ ମଧ୍ୟରେ ଏହି ଅନୁଷ୍ଠାନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଜି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ  ଗସ୍ତ କରିବା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। 

ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ପାଉଥିବା ବିଷୟରେ ସୂଚନା ଦେଇ ନାଇଜର ଭୁବନେଶ୍ୱରରେ ଏହି ହାର ୪୦ ପ୍ରତିଶତ ଛୁଇଁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଲେ ଦେଶର ଉପରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପ୍ରମାଣପତ୍ର ଗ୍ରହଣ କରିବା ପ୍ରତ୍ୟେକ ସ୍ନାତକଙ୍କ ପାଇଁ ଏକ ଚିରସ୍ମରଣୀୟ ମୁହୂର୍ତ୍ତ। 

ଏହା କେବଳ ପ୍ରମାଣପତ୍ର ବାଣ୍ଟିବାର ଦିବସ ନୁହେଁ ବରଂ ଏକ ଗୌରବମୟ ସେବା ଓ ପରମ୍ପରାକୁ ଆଗାମୀ ପିଢ଼ିର ହାତରେ ସମର୍ପଣ କରିବାର ଏକ ପବିତ୍ର ଅବସର।



Edited by k.s thakur...

Post a Comment

Previous Post Next Post