ମୃତ୍ୟୁ ପରେ ବି ସମ୍ମାନ ; ଶ୍ମଶାନକୁ ତୀର୍ଥ କରିଦେଇଥିବା ଅମରଦୀପ ଅଗ୍ରୱାଲଙ୍କ ଅମର କଥା...
ବରଗଡ଼,୦୨/୦୬(ବିଜୟ କୁମାର ସାହୁ) : “ମଣିଷ ଜନ୍ମ ହେଲେ ସମ୍ମାନ ପାଏ, ମଲା ପରେ କାହିଁକି ନୁହେଁ?” - ଏହି ପ୍ରଶ୍ନ ସହ ବରଗଡ଼ ଜିଲ୍ଲା ପଦ୍ମପୁରର ସମାଜସେବୀ ଅମରଦୀପ ଅଗ୍ରୱାଲ ଯେଉଁ କାମ କରି ଦେଖାଇଛନ୍ତି, ତାହା ଆଜି ସମଗ୍ର ଓଡ଼ିଶା ପାଇଁ ଉଦାହରଣ ପାଲଟିଛି। ସମସ୍ୟା କ’ଣ ଥିଲା?
Ad..
ପଦ୍ମପୁର ଏନ୍ ଏ ସି ଗାଇସିଲେଟ ରାସ୍ତାରେ ଥିବା ଶ୍ମଶାନ ଘାଟ ଥିଲା ଅବହେଳିତ। ବର୍ଷା ଦିନେ ଆଣ୍ଠୁଏ କାଦୁଅ, ଖରା ଦିନେ ଛାଇ ନାହିଁ, ରାତିରେ ଆଲୁଅ ନାହିଁ। ଗାଧୋଇବା ପାଇଁ ବ୍ୟବସ୍ଥା ନାହିଁ। କାଠ ଓଦା, ଶବଦାହ ପାଇଁ ୭ ଘଣ୍ଟା ଲାଗେ। ଗରିବ ଲୋକ ଟଙ୍କା ଅଭାବରୁ ଶବ ନେଇ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ।
ମହିଳାମାନେ ପିଲାଙ୍କୁ ଧରି ଦୂରରେ ଠିଆ ହେଉଥିଲେ। ମୃତ୍ୟୁ ପରେ ବି ଅପମାନ। ନିଜ ବାପାଙ୍କ ଶବଦାହ ବେଳେ ଏହି ଦୁର୍ଦଶା ଦେଖି ଅମରଦୀପ ନିଷ୍ପତ୍ତି ନେଲେ - “ଆଉ କେହି ନିଜ ପ୍ରିୟଜନଙ୍କୁ ଏମିତି ବିଦା କରିବେନି।” ନିଜ ରୋଜଗାରର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆରମ୍ଭ କଲେ “ସମ୍ମାନ ଶ୍ମଶାନ ପ୍ରକଳ୍ପ”।
ଦୁଇବର୍ଷ ହେବ ଅବ୍ୟାହତ ରଖିଛନ୍ତି କାମ।ଟିଣ ଛପର ରେ ତିଆରି ଶ୍ମଶାନ ରେ ଦିର୍ଘ ଦୁଇଦଶନ୍ଧି ଧରି ସହରର ପ୍ରାୟ ଅଧିକାଂଶ ଜନସାଧାରଣ ଶବ ଦାହ କରନ୍ତି। ଏନ୍ ଏ ସି ର ଜନସାଧାରଣ ବ୍ୟବହାର କରୁଥିବା ଉକ୍ତ ଶ୍ମଶାନ ଦଶନ୍ଧି ଦଶନ୍ଧି ଧରି ଯେମିତି ଟିଣଛପର ହୋଇ ରହିଯାଇଥିବା ବେଳେ ଦୁଇବର୍ଷ ହେବ ନିଜ ଖର୍ଚ୍ଚରେ ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ଅମନଦୀପ।
ଗାଧୋଇବା ପାଇଁ ସୁନ୍ଦର ବ୍ୟବସ୍ଥା ସହ ପାହାଚ, ନାଳରେ ପାଣି ରଖିବା ପାଇଁ ବନ୍ଧ ବାନ୍ଧି ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି। ପ୍ରବଳ ଖରା ଓ ବର୍ଷା ପାଇଁ କୈଣସି ବ୍ୟବସ୍ଥା ନଥିଲା । ଶ୍ମଶାନ ପାଇଁ ସରକାର ଯାହା କରିପାରି ନାହାନ୍ତି ତାହା ଅମନଦୀପ କରି ଦେଖାଇଛନ୍ତି।
ନିଜସ୍ୱ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ଏକାଧିକ ଶବଦାହ ପାଇଁ ବ୍ୟବସ୍ଥା କରିଛନ୍ତି। ପ୍ରବଳ ଖରା ଓ ବର୍ଷା ସମୟରେ ଶବଦାହ କରିବା ପାଇଁ ଉଚିତ ବ୍ୟବସ୍ଥା ସହ ବିଶ୍ରାମ ଗୃହ, ପାନୀୟ ଜଳ ବ୍ୟବସ୍ଥା ପ୍ରଭୃତି କାମ କରିଚାଲିଛନ୍ତି। ପାଚେରୀ ଭିତରେ ଉଚିତ ବ୍ୟବସ୍ଥା ମଧ୍ୟରେ ଜନସାଧାରଣ କିଭଲି ଶବଦାହ କରି ଘରକୁ ଫେରିବେ ତାର ପରିକଳ୍ପନା କରି ସଂପୂର୍ଣ୍ଣ କରାଯାଉଛି ଶ୍ମଶାନ।
ନିଜ ବାପାଙ୍କ ସ୍ମୃତି ସମ୍ମାନ ରକ୍ଷା ନିମନ୍ତେ ଆଉ କିଛି ଦିନ ଭିତରେ ଲକ୍ଷ୍ମୀ ନାରାୟଣ ସ୍ୱର୍ଗଦ୍ୱାର କାର୍ଯ୍ୟ ସମାପନ ପାଇଁ ସଦା ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଶ୍ମଶାନ ଚାରିପଟେ ଅଧିକ ବୃକ୍ଷରୋପଣ ହେବ। ପ୍ରତି ଶବଦାହ ପରେ ପରିବାର ନାଁରେ ଗୋଟେ ଗଛ ଲଗାଇବାର ଯୋଜନା ରଖିଛନ୍ତି।
ଏହାକୁ ନେଇ ଅମରଦୀପ ଅଗ୍ରୱାଲ କହନ୍ତି “ମୁଁ ମହାନାୟକ ନୁହେଁ। ମୁଁ କେବଳ ମଣିଷର ଶେଷ ଯାତ୍ରାକୁ ସହଜ କରିବାକୁ ଚାହୁଁଛି। ଯେଉଁ ଦିନ ପଦ୍ମପୁରର କେହି ବି ଶବଦାହ ଚିନ୍ତାରେ ରାତି ଅନିଦ୍ରା ହେବେନି, ସେଦିନ ମୋ କାମ ସରିବ। ଯେଉଁଠି ସରକାରୀ ଯୋଜନା ପହଞ୍ଚି ପାରିନି, ସେଠି ଅମରଦୀପ ଅଗ୍ରୱାଲଙ୍କ ଭଳି ଯୁବକ ମାନବିକତାର ଦୀପ ଜାଳିଛନ୍ତି।
ଏହା ହିଁ ଅସଲି ସେବା। ମୃତ୍ୟୁକୁ ବି ସମ୍ମାନ ଦେଇପାରୁଥିବା ସମାଜ ହିଁ ସଭ୍ୟ ସମାଜ। ଆଜି ପଦ୍ମପୁର ସହରର ଜନସାଧାରଣ ଦୁଃଖଦ ସମୟରେ ବି ଅମରଦୀପ ଙ୍କ ଅମରକଥା ପାଇଁ ମଙ୍ଗଳ କାମନା କରୁଛନ୍ତି।
Edited by k.s thakur...


