ପର୍ଯ୍ୟଟନ ପାଇଁ ଜମି ବ୍ୟାଙ୍କ ଯୋଜନା: ୫୫୦୦ ଏକର ଜମି, ୧୫୦୦ କୋଟିର ଅଟକଳ...
ଭୁବନେଶ୍ବର,୦୯/୦୬(ନି.ପ୍ର) : ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରହିଥିବା ସବୁଠୁ ବଡ଼ ଆହ୍ବାନ ଜମି ଅଭାବକୁ ଦୂର କରିବା ପାଇଁ ଏକ ଜମି ବ୍ୟାଙ୍କ ଯୋଜନା ପ୍ରସ୍ତୁତ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟ୍ କମିଟି ବୈଠକରେ ଉକ୍ତ ଯୋଜନା ମଞ୍ଜୁର ହୋଇଛି।
Ad..
‘ଆତିଥେୟତା ଭିତ୍ତିଭୂମି ପାଇଁ ଜମି ବ୍ୟାଙ୍କ’ ନାମକ ଏହି ଯୋଜନା ଅଧୀନରେ ୫୫୦୦ ଏକରର ଉଭୟ ସରକାରୀ ଓ ବେସରକାରୀ ଜମି ଚିହ୍ନଟ କରାଯିବ।
ଚିଲିକା, କୋଣାର୍କ, ପୁରୀ (ଶାମୁକା), ଧଉଳି, ହୀରାକୁଦ, ସାତକୋଶିଆ, ଶିମିଳିପାଳ, ଭିତରକନିକା, ଦାରିଙ୍ଗବାଡ଼ି, ଦେଓମାଳି, ବୌଦ୍ଧ ସର୍କିଟ୍, ଜିରାଙ୍ଗ, ତଳସାରି ଓ ଟାମ୍ପରା-ଆର୍ଯ୍ୟପଲ୍ଲୀ ଭଳି ସ୍ଥାନରେ ଜମି ଚିହ୍ନଟ ହେବ।
ପର୍ଯ୍ୟଟନ ସମ୍ଭାବନାକୁ ନଜରରେ ରଖି ଅଧିକ ସ୍ଥାନକୁ ଏହି ଯୋଜନାରେ ସାମିଲ କରାଯିବ। ରାଜ୍ୟ ସରକାର ଏହି ଯୋଜନାକୁ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବେ।
ବାର୍ଷିକ ୩୦୦ କୋଟି ଟଙ୍କା ହାରରେ ଏହି ଯୋଜନାରେ ପାଞ୍ଚ ବର୍ଷ ପାଇଁ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପର୍ଯ୍ୟଟନ ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନ ଜମି ବ୍ୟାଙ୍କ ସ୍ଥାପନ କରାଯିବ।
ତାହା ସ୍ଥାନ ଭିତ୍ତିକ ମାଷ୍ଟର ପ୍ଲାନ୍ ପ୍ରଦାନ କରିବ ଓ ନିବେଶକମାନଙ୍କୁ ଭିତ୍ତିଭୂମି ପାଇଁ ପ୍ରସ୍ତୁତ ଜମି ସୁବିଧା ଯୋଗାଇଦେବ। ଏହି ଯୋଜନା ଦ୍ବାରା ରାଜ୍ୟରେ ହୋଟେଲ୍, ରେସ୍ତୋରାଁ, କନ୍ଭେନ୍ସନ୍, ଇକୋ-ଟୁରିଜିମ୍ ପ୍ରକଳ୍ପ, ୱେଲ୍ନେସ୍ ରିଟ୍ରିଟ୍, ଚିତ୍ତବିନୋଦନ ବ୍ୟବସ୍ଥା ଓ ଅନ୍ୟାନ୍ୟ ପର୍ଯ୍ୟଟନ ସମ୍ପର୍କିତ ଭିତ୍ତିଭୂମିରେ ପୁଞ୍ଜିନିବେଶ ବଢ଼ିବା ଆଶା କରାଯାଉଛି।
ସମଗ୍ର ରାଜ୍ୟକୁ ନଜରରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ଗୁରୁତ୍ବ ଦିଆଯାଇଛି। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ନୂଆ ଅର୍ଥନୈତିକ ସୁଯୋଗ ସୃଷ୍ଟି ଓ ଉଦୀୟମାନ ପର୍ଯ୍ୟଟନସ୍ଥଳର ବିକାଶକୁ ପ୍ରାଧାନ୍ୟ ଦିଆଯିବ।
ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି। ଇଡ୍କୋ, ଓଟିଡିସି, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ସହ ସମନ୍ବୟ ରକ୍ଷା କରି ଏହି ଯୋଜନାକୁ ପର୍ଯ୍ୟଟନ ବିଭାଗ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟକାରୀ କରିବ।
Edited by k.s thakur...


