ଜିପ୍‌ରେ ଗଞ୍ଜେଇ ତେଲ କାରଖାନା: ୮୦୦ ଲିଟର ରାସାୟନିକ ପଦାର୍ଥ ଜବତ, ସାମଗ୍ରୀର ମୂଲ୍ୟ ୧୦୦ କୋଟି...

ଜିପ୍‌ରେ ଗଞ୍ଜେଇ ତେଲ କାରଖାନା: ୮୦୦ ଲିଟର ରାସାୟନିକ ପଦାର୍ଥ ଜବତ, ସାମଗ୍ରୀର ମୂଲ୍ୟ ୧୦୦ କୋଟି...


ମାଲକାନଗିରି,୦୪/୦୫(ନି.ପ୍ର) : ଫେଲ୍‌ ମାରିଲା ଗଞ୍ଜେଇ ମାଫିଆଙ୍କ ସବୁ କୌଶଳ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଏସ୍‌ଆର ଛକରେ ଠାବ ହୋଇଛି ଭ୍ରାମ୍ୟମାଣ (ମୋବାଇଲ) ଗଞ୍ଜେଇ ତେଲ କାରଖାନା। 

Ad..


ଘଟଣାସ୍ଥଳରୁ ହାସିସ୍‌ ତେଲ (ତରଳ ଗଞ୍ଜେଇ) ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ୮୦୦ ଲିଟର ରାସାୟନିକ ପଦାର୍ଥ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ପୁଲିସ କାବୁ କରିବା ପୂର୍ବରୁ ଚକମା ଦେଖାଇ ଚମ୍ପଟ ମାରିଛନ୍ତି ମାଫିଆ। ପ୍ରାଥମିକ ତଦନ୍ତରୁ ଏହି ତରଳ ଗଞ୍ଜେଇ ପ୍ରକ୍ରିୟାକରଣ ୟୁନିଟ୍‌ ପଛରେ ଆନ୍ଧ୍ର ଲିଙ୍କ୍‌ ରହିଥିବା ସୁରାକ ମିଳିଛି। 

    Ad..


ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି।ମାଲକାନଗିରି ଜିଲ୍ଲାରେ ଚାଷ ହେଉଥିବା ଗଞ୍ଜେଇକୁ ଚାଲାଣ କରିବା ବାଟ ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି। ଭାରୀଯାନରେ ପରିବହନ କଷ୍ଟକର ହୋଇଥିଲା ବେଳେ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ୁଛି। 

    Ad..


ତେଣୁ ଗଞ୍ଜେଇକୁ ତରଳ (ତେଲ)ରେ ରୂପାନ୍ତର କରି ବିକ୍ରି କରିବା ଆରମ୍ଭ କରିଛନ୍ତି ମାଫିଆ। ତେବେ ବାରମ୍ବାର ଚଢ଼ଉ ସତ୍ତ୍ବେ ଗଞ୍ଜେଇ ତେଲ କାରଖାନାର ସୁରାକ ପାଉନଥିଲା ପୁଲିସ। ବାଧ୍ୟ ହୋଇ ରଣନୀତି ପରିବର୍ତ୍ତନ କରି ଚିତ୍ରକୋଣ୍ଡା ବ୍ଲକ୍‌ର ଗ୍ରାମାଞ୍ଚଳରେ ସନ୍ଦିଗ୍ଧ ଗତିବିଧି ଉପରେ କଡ଼ା ନଜର ରଖିଥିଲା।

ଯାହାର ସୁଫଳ ପୁଲିସକୁ ମିଳିଛି। ଗୁଇନ୍ଦା ସୂଚନା ଆଧାରରେ ଆଜି ସକାଳେ ଚିତ୍ରକୋଣ୍ଡା ଏସ୍‌ଡିପିଓ ପ୍ରଦୋଷ ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଏସ୍‌ଆର ଛକରେ ନାକା ଲଗାଇ ଯାଞ୍ଚ ଆରମ୍ଭ କରିଥିଲା। ଦୂରରୁ ପୁଲିସକୁ ଦେଖି ଗୋଟିଏ କମାଣ୍ଡର ଗାଡ଼ି ହଠାତ୍‌ ଅଟକି ଯାଇଥିଲା। 

ଏହା ପରେ ଗାଡ଼ି ଛାଡ଼ି ଡ୍ରାଇଭର ସହ ଅନ୍ୟମାନେ ଆଖପାଖ ଜଙ୍ଗଲକୁ ଦୌଡ଼ିଥିଲେ। ପୁଲିସ ସେମାନଙ୍କ ପିଛା କରିଥିଲେ ସୁଦ୍ଧା କାବୁ କରିବାରେ ସଫଳ ହୋଇନଥିଲା। ଉକ୍ତ କମାଣ୍ଡରକୁ ଯାଞ୍ଚ କରିବାରୁ ଯାହା ମିଳିଲା ସମସ୍ତଙ୍କୁ ଚକିତ କରିଥିଲା। 

କାରଣ ଗଞ୍ଜେଇ ତେଲ ପ୍ରସ୍ତୁତ କରିବା ପାଇଁ ଉକ୍ତ ଗାଡ଼ିକୁ ମାଫିଆ ମୋବାଇଲ କାରଖାନାରେ ପରିଣତ କରିଥିଲେ।ଗୋଟିଏ ସ୍ଥାନରେ କାରଖାନା କରି ତେଲ ପ୍ରସ୍ତୁତ କଲେ କୌଣସି ମୁହୂର୍ତ୍ତରେ ବି ପୁଲିସ ଚଢ଼ଉର ସମ୍ଭାବନା ରହିଥିଲା। ଏଥିପାଇଁ ଗାଡ଼ିକୁ କାରଖାନାର ରୂପ ଦେଇ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ ମାଫିଆ। 

ଯାହାଫଳରେ ବାରମ୍ବାର ଚଢ଼ଉ ସତ୍ତ୍ବେ କେଉଁଠି ତେଲ ପ୍ରସ୍ତୁତ ହେଉଛି ତାର ଟେର୍‌ ପୁଲିସ ପାଉନଥିଲା। ଜବତ ଗାଡ଼ିର ପଞ୍ଜୀକରଣ ନମ୍ବର ଆନ୍ଧ୍ରର ରହିଛି। ଗାଡ଼ିରୁ ୫୦ କିଲୋ ଗଞ୍ଜେଇ ଓ ଦୁଇ ଲିଟର ଗଞ୍ଜେଇ ତେଲ ମିଳିଛି। 

ଯେତିକି ରାସାୟନିକ ସାମଗ୍ରୀ ଉକ୍ତ ଗାଡ଼ିରୁ ମିଳିଛି ସେଥିରୁ ପ୍ରାୟ ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ପ୍ରସ୍ତୁତ ହୋଇଥାନ୍ତା ବୋଲି ଆକଳନ କରାଯାଉଛି। ମାଲକାନଗିରି ଏସ୍‌ପି ନିଜେ ଏହି ଅପରେସନ୍‌ର ତଦାରଖ କରୁଥିଲେ।



Edited by k.s thakur...

Post a Comment

Previous Post Next Post