ତାପଜ ବିଦ୍ୟୁତ ନୀତି ସଂଶୋଧନ ଉପରେ ଭ୍ରାନ୍ତ ଧାରଣା ଓ ଅପପ୍ରଚାର ଉପରେ ସ୍ପଷ୍ଟୀକରଣ ଜାରି...
ଭୁବନେଶ୍ୱର,୨୪/୦୫(ବ୍ୟୁରୋ) : ରାଜ୍ୟ ସରକାର ଆଗାମୀ ତାପଜ ବିଦ୍ୟୁତ ପ୍ରକଳ୍ପ ନୀତି ସଂଶୋଧନ ନେଇ ଭ୍ରାନ୍ତ ଧାରଣା ଓ ଅପପ୍ରଚାରକୁ ଖଣ୍ଡନ କରିଛନ୍ତି। ଏହା ନେଇ ଜନସାଧାରଣଙ୍କ ମଧ୍ୟରେ ଅନାବଶ୍ୟକ ଭୟ ସୃଷ୍ଟି ହେଉଥିବା କୁହାଯାଇଛି।
Ad..
ସରକାର ସ୍ପଷ୍ଟ କରିଛନ୍ତି ଯେ, ପ୍ରସ୍ତାବିତ ସଂଶୋଧନରୁ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବିଦ୍ୟୁତ ଶୁଳ୍କ ଭାର ପଡ଼ିବ ନାହିଁ ଏବଂ ବର୍ତ୍ତମାନର ବିଦ୍ୟୁତ ଦର ଉପରେ ମଧ୍ୟ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ।
Ad..
ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରସ୍ତାବିତ ସଂଶୋଧନ କେବଳ ଭବିଷ୍ୟତରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ତାପଜ ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ପୂର୍ବରୁ ସ୍ୱାକ୍ଷରିତ ବିଦ୍ୟୁତ କ୍ରୟ ଚୁକ୍ତିନାମା (ପି.ପି.ଏ.) ଅଧୀନରେ ବର୍ତ୍ତମାନ ରାଜ୍ୟକୁ ବିଦ୍ୟୁତ ଯୋଗାଣ କରୁଥିବା ସ୍ୱାଧୀନ ବିଦ୍ୟୁତ ଉତ୍ପାଦନକାରୀ (ଆଇ.ପି.ପି.) ମାନଙ୍କ ଉପରେ ଏହି ସଂଶୋଧନର କୌଣସି ପ୍ରଭାବ ପଡ଼ିବ ନାହିଁ।
ତେଣୁ, ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପରିବର୍ତ୍ତନଶୀଳ ମୂଲ୍ୟ (Variable Cost) ଆଧାରରେ ରାଜ୍ୟ ପାଇଁ ଉପଲବ୍ଧ ହେଉଥିବା ବିଦ୍ୟୁତ ସେବା ପୂର୍ବପରି ଅବ୍ୟାହତ ରହିବ। ଏହା ସହିତ ବର୍ତ୍ତମାନର ବଲ୍କ ସପ୍ଲାଇ ପ୍ରାଇସ୍ (ବି.ଏସ.ପି.) ଏବଂ ଖାଉଟିମାନେ ପ୍ରଦାନ କରୁଥିବା ରିଟେଲ୍ ସପ୍ଲାଇ ଟାରିଫ୍ (ଆର.ଏସ.ଟି.) ଉପରେ ଏହି ସଂଶୋଧନ ଦ୍ୱାରା କୌଣସି ଅତିରିକ୍ତ ପ୍ରଭାବ ପଡ଼ିବାର ପ୍ରଶ୍ନ ଉଠୁନାହିଁ।
ରାଜ୍ୟର ବର୍ତ୍ତମାନ ଶିଳ୍ପ ଓ ଅର୍ଥନୈତିକ ପରିସ୍ଥିତିକୁ ସମୀକ୍ଷା କରିବା ପରେ, ବିଦ୍ୟୁତ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶକୁ ଆକର୍ଷିତ କରିବା ଏବଂ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ନୀତିଗତ ସଂଶୋଧନ ପ୍ରସ୍ତାବିତ କରାଯାଇଛି।
ଏହି ସଂଶୋଧିତ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟରେ ଏକ ନିବେଶ ଅନୁକୂଳ ପରିବେଶ ସୃଷ୍ଟି ହେବା ସହିତ ନିବେଶକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ଶିଳ୍ପାୟନ ପ୍ରକ୍ରିୟା ଅଧିକ ସୁଗମ ହେବ ବୋଲି ସରକାର ମତ ପ୍ରକାଶ କରିଛନ୍ତି।
ସେହିପରି, ନୂତନ ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ଆନୁଷଙ୍ଗିକ ଶିଳ୍ପ, ଲଜିଷ୍ଟିକ୍ସ, ପରିବହନ ବ୍ୟବସ୍ଥା, ଇଞ୍ଜିନିୟରିଂ ସେବା ଓ ଆଞ୍ଚଳିକ ଯୋଗାଣ ଶୃଙ୍ଖଳାର ବ୍ୟାପକ ବିକାଶ ଘଟିବ। ଏହା ଫଳରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅର୍ଥନୈତିକ କାର୍ଯ୍ୟକଳାପ ସୃଷ୍ଟି ହେବା ସହିତ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକ୍ଷମ ପର୍ଯ୍ୟାୟରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଏହା ସହିତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ.ଏସ.ଏମ.ଇ.), ଠିକାଦାର, ପରିବହନକାରୀ ଓ ସେବା ପ୍ରଦାନକାରୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବେ ବୋଲି ଆଶା କରାଯାଉଛି।ଶିଳ୍ପ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପର ବୃଦ୍ଧି ଫଳରେ ରାଜ୍ୟରେ ଜି.ଏସ.ଟି. ସହ ଅନ୍ୟାନ୍ୟ ବିଧିସମ୍ମତ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇବ ଏବଂ ରାଜ୍ୟ ରାଜକୋଷ ଅଧିକ ସୁଦୃଢ଼ ହେବ।
ଏହା ଭିତ୍ତିଭୂମି ବିକାଶ, ସାମାଜିକ କଲ୍ୟାଣ ଓ ଜନହିତକାରୀ କାର୍ଯ୍ୟକ୍ରମ ପାଇଁ ରାଜ୍ୟର ଆର୍ଥିକ ସାମର୍ଥ୍ୟକୁ ଆହୁରି ମଜବୁତ କରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, କେତେକ ମହଲରେ ସ୍ୱାର୍ଥନ୍ୱେଷୀ କିମ୍ବା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଥିବା ଭ୍ରାନ୍ତ ବ୍ୟାଖ୍ୟା ଓ ଅପପ୍ରଚାରରେ ବିଭ୍ରାନ୍ତ ନ ହୋଇ ପ୍ରକୃତ ତଥ୍ୟ ଉପରେ ଆସ୍ଥା ରଖନ୍ତୁ।
ବୃହତ ଜନସ୍ୱାର୍ଥକୁ ସୁରକ୍ଷିତ ରଖି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦୀର୍ଘମିଆଦି ଅର୍ଥନୈତିକ ବିକାଶକୁ ଆଗେଇ ନେବା ସହିତ ପ୍ରତ୍ୟେକ ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛନ୍ତି।
Edited by k.s thakur...



