ବନ୍ଦ ହୋଇଯିବ ରାଜ୍ୟ ଖାଉଟି କମିସନ୍‌ ! ୩ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ...

ବନ୍ଦ ହୋଇଯିବ ରାଜ୍ୟ ଖାଉଟି କମିସନ୍‌ ! ୩ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ...


କଟକ, ୦୪/୦୩(ନି.ପ୍ର): ରାଜ୍ୟ ଖାଉଟି ବା ଉପଭୋକ୍ତା ବିବାଦ ସମାଧାନ କମିସନ୍‌ରେ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ମୋଟ୍ ଚାରିଜଣ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ତିନିଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। କେବଳ କାର୍ଯ୍ୟକାରୀ ସଭାପତିଙ୍କ କାର୍ଯ୍ୟକାଳ ଚାଲୁରହିଛି। 

        Ad..


ଅବସର ନେଉଥିବା ତିନି ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇନି।ଫଳରେ ରାଜ୍ୟ ଖାଉଟି କମିସନ ଏକପ୍ରକାର ବନ୍ଦ ହେବା ସ୍ଥିତି ସୃଷ୍ଟି ହୋଇଛି।କେବଳ ରାଜ୍ୟ ଖାଉଟି କମିସନ ନୁହେଁ ସବୁ ଜିଲ୍ଲା ଖାଉଟି କମିସନ୍‌ର ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ସରୁଛି।

Ad..


ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯଦି ଚଳିତମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ରାଜ୍ୟବ୍ୟାପୀ ଖାଉଟି ଅଦାଲତ ଏକରକମ ଠପ୍ ହୋଇଯିବା ନେଇ ଆଶଙ୍କା ଉପୁଜିଛି।

ଖାଉଟି ବା ଉପଭୋକ୍ତାମାନଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ତଥା ସେମାନଙ୍କୁ ନ୍ୟାୟ ଦେବା ଲାଗି ଜିଲ୍ଲାସ୍ତରରେ ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନ ଏବଂ ରାଜ୍ୟ ସ୍ତରରେ ରାଜ୍ୟ ଖାଉଟି କମିସନ ଗଠନ କରାଯାଇଛି। ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ୍‌ରେ ଜଣେ ସଭାପତି ଓ ୪ଜଣ ସଦସ୍ୟ ରହିବା କଥା।

ସଭାପତି ପଦ ଖାଲିପଡ଼ିଥିବାବେଳେ ବର୍ତ୍ତମାନ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୪ଜଣ ସଦସ୍ୟ ରହିଛନ୍ତି।ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଥିଲେ ଯେ, ଖାଉଟି କମିସନରେ ଯେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ନୂତନ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ।

କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଖାଉଟି କମିସନର ତିନି ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।ଆଇନ ବିଭାଗ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ଏହି ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଚିଠି ମଧ୍ୟ ଲେଖାଯାଇଛି।

ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି।ସେହିପରି ୩୦ଟି ଜିଲ୍ଲାରେ ୩୧ଟି ଜିଲ୍ଲା ଖାଉଟି କମିସନ ରହିଛି।ପ୍ରତ୍ୟେକ ଜିଲ୍ଲା ଖାଉଟି କମିସନରେ ଜଣେ ସଭାପତି ଏବଂ ଦୁଇଜଣ ସଦସ୍ୟ ରହିବା କଥା।ଏହି ହିସାବରେ ଦେଖିଲେ ମୋଟ୍ ୩୧ଜଣ ସଭାପତି ଏବଂ ୬୨ଜଣ ସଦସ୍ୟ ରହିବା କଥା।

କିନ୍ତୁ ଏମାନଙ୍କ ସ୍ଥାନରେ ବର୍ତ୍ତମାନ ୧୩ଜଣ ସଭାପତି ଥିଲାବେଳେ ୨୦ଜଣ ସଦସ୍ୟ ରହିଛନ୍ତି।କିନ୍ତୁ ଏହି ୧୩ଜଣ ସଭାପତି ଏବଂ ୨୦ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଚଳିତମାସ ଶେଷ ସୁଦ୍ଧା ସରିବାକୁ ଯାଉଛି । 

ଯେହେତୁ ବର୍ତ୍ତମାନ ନୂତନ ନିଯୁକ୍ତି ପାଇଁ ରାଜ୍ୟ ସରକାର କୌଣସି ପ୍ରକ୍ରିୟା ଆରମ୍ଭ କରିନାହାନ୍ତି ତେଣୁ ସଭାପତି ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଗଲେ ଏହି ପଦ ସବୁ ଖାଲିପଡ଼ିବା ନିଶ୍ଚିନ୍ତ।




Edited by k.s thakur...

Post a Comment

Previous Post Next Post