ଚିଟ୍ଫଣ୍ଡ ତଦନ୍ତ କମିସନ ବନ୍ଦକୁ ୬ ବର୍ଷ : ଖତ ଖାଉଛି ଗୁରୁତ୍ବପୂର୍ଣ୍ଣ ନଥିପତ୍ର...
କଟକ,୦୪/୦୧(ନି.ପ୍ର): ଚିଟ୍ଫଣ୍ଡ ଦୁର୍ନୀତି ଘଟଣାର ବିଚାରବିଭାଗୀୟ ତଦନ୍ତ ବନ୍ଦ ହେବାକୁ ୬ ବର୍ଷ ପୂରିଛି। ପୂର୍ବ ବିଜେଡି ସରକାର ଅଧାରୁ ଚିଟ୍ଫଣ୍ଡ ତଦନ୍ତକୁ ବନ୍ଦ କରି ଦେଇଥିଲେ। ନୂଆ ସରକାର ଆସିବା ପରେ ମଧ୍ୟ ବିଚାରବିଭାଗୀୟ ତଦନ୍ତ ପ୍ରସଙ୍ଗ ଶୀତଳଭଣ୍ଡାରରେ ରହିଯାଇଛି।
Ad..
କମିସନଙ୍କ ତଦନ୍ତ ରିପୋର୍ଟ ଏବେ ବି ରହସ୍ୟ ହୋଇ ରହିଛି। ଚିଟ୍ଫଣ୍ଡ ଦୁର୍ନୀତି ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ତତ୍କାଳୀନ ସରକାର ୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ ଗଠନ କରିଥିଲେ। ପ୍ରଥମରୁ ୫ଟି ପ୍ରସଙ୍ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା।
Ad..
ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଙ୍ଗ ଯୋଡ଼ି ୨୦୧୫ ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିବା ବେଳେ ଶେଷ ଥର ୨୦୧୯ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ।
Ad..
୨୦୧୫ ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ କରି ସରକାର ୨୦୧୯ ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ୨୦୧୯ ଡିସେମ୍ବର ୧୧ରେ ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ବୋଲି ଉଲ୍ଲେଖ କରାଯାଇଥିଲା।
କମିସନ୍ ପ୍ରାୟ ୪ ଲକ୍ଷ ୯୭ ହଜାର ୮ଶହ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ୨୧ଶହରୁ ଅଧିକ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଥିଲେ।ବହୁ କ୍ଷତିଗ୍ରସ୍ତ ଜମାକାରୀ ୨୦୧୩ରେ ସତ୍ୟପାଠ ଦାଖଲ କରି ନଥିଲା ବେଳେ କମିସନ ୨୦୧୮ ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୯ ଜାନୁଆରି ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୭ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ୨୦୨୦ ଫେବ୍ରୁଆରି ୪ରୁ ଜଷ୍ଟିସ୍ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଏହା ଆଉ ବୃଦ୍ଧି କରାଯାଇ ନଥିଲା। ଏଭଳି ପରିସ୍ଥିତିରେ ବକ୍ସିବଜାର ପୁଲିସଲାଇନ୍ସ୍ଥିତ ତଦନ୍ତ କମିସନଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡ଼ିଛି।
କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ସତ୍ୟପାଠ ସବୁ ପଡ଼ି ରହିଛି।ଆସବାବପତ୍ର, କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ୍, ଫ୍ୟାକ୍ସ, ଏସି, ଗୁରୁତ୍ବପୂର୍ଣ୍ଣ ନଥିପତ୍ରରେ ଗଛଲତା ମାଡ଼ି ଗଲାଣି। ଉଇ ଲାଗି, ପାଣି ପବନ ଖାଇ ନଷ୍ଟ ହୋଇଗଲାଣି। ଚିଟ୍ଫଣ୍ଡ ତଦନ୍ତ କମିସନଙ୍କ ୭ଟି ଅନ୍ତରୀଣ ରିପୋର୍ଟରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପ୍ରସଙ୍ଗରେ କଣ ତଥ୍ୟ ରହିଛି ତାହା ଏବେ ବି ଅସ୍ପଷ୍ଟ।
ଚିଟ୍ଫଣ୍ଡ ତଦନ୍ତ ପାଇଁ ୬.୧୯ କୋଟି ଟଙ୍କାରୁ ଅଧିକ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି। କମିସନ ଅଫ୍ ଇନ୍କ୍ବାରି ଆଇନ ଅନୁସାରେ ସରକାର ତଦନ୍ତ କମିିସନ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବା କଥା। କିନ୍ତୁ ଏ ପ୍ରସଙ୍ଗରେ ସରକାର ଏବେ ବି ନିରବ ରହିଛନ୍ତି।
Edited by k.s thakur...




