ହାତୀ ଉପଦ୍ରବରେ ପୁଣି ଭୟର ବାତାବରଣ ; ଦୁଇଟି ଘର ନଷ୍ଟ କରିବା ସହ ଅନେକ ଧନ ସମ୍ପତ୍ତି କ୍ଷତି...
କନ୍ଧମାଳ,୦୬/୧୦ : ସ୍ଥାନୀୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ମାଲାନସୁଗା ଛକରେ ରବିବାର ରାତିରେ ହାତୀ ଉପଦ୍ରବରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। କିଛିଦିନ ଶାନ୍ତ ଥିବା ଅଞ୍ଚଳରେ ହଠାତ୍ ଦୁଇଟି ଦନ୍ତାହାତୀ ଆସି ଦୁଇଟି ଘର ନଷ୍ଟ କରିବା ସହ ଅନେକ ଧନ ସମ୍ପତ୍ତି କ୍ଷତି କରିଛନ୍ତି।
Ad..
ଏହି ଆକ୍ରମଣରେ ଭୀମସେନ ମଲ୍ଲିକ ଓ ତାଙ୍କ ଜୀବନ ସାଥୀ ଭାରତୀ ମଲ୍ଲିକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସୁମନ୍ତ ପ୍ରଧାନଙ୍କ ଘର ଆଂଶିକ ଭାବରେ ନଷ୍ଟ ହୋଇଛି। ଭୀମସେନ ଓ ଭାରତୀ ମଲ୍ଲିକ, ସୁଜେଲି ଗ୍ରାମର ହୋଇଥିଲେ ମଧ୍ୟ ଦୀର୍ଘ ୨୫ ବର୍ଷ ଧରି ମାଲାନସୁଗା ଛକ ନିକଟରେ ବସବାସ କରୁଛନ୍ତି।
Ad..
ସେମାନେ ଛୋଟ ଚାଷି ହୋଇ ଫଳ ଓ ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ହେଉଛି, ଏହା ସେମାନଙ୍କ ଘର ଉପରେ ହାତୀଙ୍କ ପଞ୍ଚମ ଆକ୍ରମଣ।
Ad..
ଗତକାଲି ରାତିରେ ହାତୀ ଦୁଇଟି ଘର ଭାଙ୍ଗି ଧାନ, ମାଣ୍ଡିଆ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଖାଇଦେଇଛନ୍ତି। ଘର ଭିତରେ ଥିବା ହାଣ୍ଡି, ମାଠିଆ ଓ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଭାଙ୍ଗି ନଷ୍ଟ ହୋଇଛି। ଏହାସହିତ ତ୍ରିବେଣୀ ପ୍ରଧାନଙ୍କ ଦୋକାନ ସମ୍ମୁଖ ଟିଣ ଭାଗ ମଧ୍ୟ ହାତୀ ଭାଙ୍ଗିଦେଇଛି।
Ad..
ତେବେ ଘଟଣା ସମୟରେ ଜଣେ ପ୍ରତକ୍ଷଦର୍ଶୀ ମହର୍ଷି ପ୍ରଧାନ କହିଛନ୍ତି। ସଂଧ୍ୟା ୭ଟା ବେଳେ ଦୁଇଟି ହାତୀ ଆସି ମୋ ଧାନ ବିଲ ନଷ୍ଟ କଲେ। ସେମାନେ ସକାଳ ୪ଟା ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ଉପଦ୍ରବ କରିଚାଲିଲେ। ଗାଁ ଲୋକ ସମସ୍ତେ ଭୟରେ ରାତି କାଟିଲେ।
Ad..
ବିଗତ ମାସମାନଙ୍କରେ ହାତୀ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଘଟଣା ଏପର୍ଯ୍ୟନ୍ତ ଗ୍ରାମବାସୀମାନଙ୍କ ମନରୁ ଲିଭି ନାହିଁ, ତାପରେ ପୁଣି ନୂଆ ହାତୀ ଆତଙ୍କ ସୃଷ୍ଟି ହେବାରୁ ସମସ୍ତେ ଭୟଭୀତ।
Ad..
ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ରାତି ୯ଟା ବେଳେ ଆସି ୧୧ଟା ପର୍ଯ୍ୟନ୍ତ ଉପସ୍ଥିତ ଏହି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। କିନ୍ତୁ ହାତୀ ଫେରି ଯାଇଥିବ ବୋଲି ଭାବି ସେମାନେ ଫେରିଯାଇଥିଲେ। ସେମାନଙ୍କ ଯିବା ପରେ ହାତୀ ପୁଣି ଫେରି ଆସି ଅଧିକ ଉପଦ୍ରବ କରିଥିଲେ।
ଏହି ଅବସ୍ଥାରେ ଗ୍ରାମବାସୀମାନେ ବନ ବିଭାଗ ଉପରେ ତିବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯଦି ବନ ବିଭାଗ ଯଥାସମୟରେ ପଦକ୍ଷେପ ନେଇଥାଆନ୍ତା, ତେବେ ଏତେ ବଡ଼ କ୍ଷତି ହୋଇନଥାଆନ୍ତା।
ସ୍ଥାନୀୟ ଗ୍ରାମବାସୀଙ୍କ ମତରେ, ବନ ବିଭାଗର ଅବହେଳା ଓ ଯଥା ସମୟରେ ହାତୀ ନିୟନ୍ତ୍ରଣ ପଦକ୍ଷେପ ନ ନେବା ଫଳରେ ଏହି ଘଟଣା ଘଟିଛି।ଗ୍ରାମବାସୀମାନଙ୍କ ଦାବି, ହାତୀକୁ ତୁରନ୍ତ ଅଞ୍ଚଳରୁ ବାହାର କରି ଜଙ୍ଗଲକୁ ପଠାଯିବା ଆବଶ୍ୟକ। ସେଥିପାଇଁ ଆଧୁନିକ ପ୍ରଣାଳୀ ଓ ଯନ୍ତ୍ରପାତି ବ୍ୟବହାର କରି ହାତୀକୁ ନିୟନ୍ତ୍ରଣ କରାଯାଉ।
ଅଞ୍ଚଳର ଆଦିବାସୀ ଲୋକମାନେ ଜଙ୍ଗଲ ଓ ଚାଷ ଉପରେ ନିର୍ଭରଶୀଳ ଥିବାରୁ ହାତୀ ଭୟରେ ସେମାନେ ଜଙ୍ଗଲକୁ ଯାଇ ପାରୁନାହାନ୍ତି। ଫଳରେ ସେମାନଙ୍କ ଜୀବିକା ଗୁରୁତର ସଙ୍କଟରେ ପଡ଼ିଛି। ଏହି ପରିସ୍ଥିତିରେ ବନ ବିଭାଗ ଯଦି ଶୀଘ୍ର ପଦକ୍ଷେପ ନେଉନାହିଁ।
ତେବେ ଆସନ୍ତା ଦିନରେ ହାତୀ ଉପଦ୍ରବ ଅଧିକ ଭୟାବହ ଆକାର ନେଇପାରେ। ଗ୍ରାମବାସୀଙ୍କ ସୁରକ୍ଷା ଓ ଜୀବନ ନିଶ୍ଚିତ ପାଇଁ ବନ ବିଭାଗ ସତର୍କ ଓ ତତ୍ପର ହେବା ଆବଶ୍ୟକ।ନତୁବା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲେଇବାକୁ ଚେତାବନୀ ଦେଇଛନ୍ତି।
Edited by k.s thakur...
Tags:
destroy homes
elephant
g.udaygiri
kandhamal
latest news
latest update
odisha daily current affairs
odisha news







