ପୋଲାଭରମ୍‌କୁ ବିରୋଧ, ମୋଟୁରେ ବିଶାଳ ସମାବେଶ...

ପୋଲାଭରମ୍‌କୁ ବିରୋଧ, ମୋଟୁରେ ବିଶାଳ ସମାବେଶ...


ମାଲକାନଗିରି/କାଲିମେଳା,୦୧/୦୩ : ଆନ୍ଧ୍ରର ସ୍ବାର୍ଥ ପାଇଁ ମାଲକାନଗିରିର ସ୍ବାଭିମାନ ସହ ସାଲିସ୍ କରାଯିବନି। ଆଦିବାସୀ ଓ ଅଧିବାସୀଙ୍କ ନ୍ୟାଯ୍ୟ ଦାବି ପାଇଁ ଲଢ଼େଇ ଜାରି ରହିବ। ପ୍ରକଳ୍ପର ଉଚ୍ଚତା ହ୍ରାସ ସହ ଜଳ, ଜମି, ଜଙ୍ଗଲର ସୁରକ୍ଷା ପ୍ରତି ଧ୍ୟାନ ଦିଅ। ପ୍ରଭାବିତ ଅଞ୍ଚଳବାସୀଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କର। ନଚେତ୍ ଆଗାମୀ ଦିନରେ ଜୋର୍‌ଦାର ବି‌ରୋଧ ହେବ। 

Ad..


ଆନ୍ଧ୍ରରେ ନିର୍ମିତ ବହୁ ପ୍ରତୀକ୍ଷିତ ପୋଲାଭରମ (ଇନ୍ଦିରା ସାଗର) ପ୍ରକଳ୍ପକୁ ନେଇ ମୋଟୁରେ ଆୟୋଜିତ ହୋଇଛି ବିଶାଳ ସମାବେଶ। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତହସିଲ ପଡ଼ିଆରେ ଆୟୋଜିତ ସମାବେଶରେ ତିନି ରାଜ୍ୟର ନେତା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଏମିତି ଗର୍ଜିଛନ୍ତି। ତୁରନ୍ତ ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ସହିତ ଉଚ୍ଚତା ହ୍ରାସ କରିବାକୁ ଦାବି କରିଥିଲେ। 

    Ad..


ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ କହିଥିଲେ, ପୋଲାଭରମ ପ୍ରକଳ୍ପ ମାଲକାନଗିରିର ଆଦିବାସୀ ଭାଇଭଉଣୀଙ୍କ ସ୍ବାର୍ଥ ବିରୋଧୀ। ଏହି ପ୍ରକଳ୍ପ ବିଷୟରେ ଗୋଦାବରୀ ନଦୀ କୂଳସ୍ଥ ରାଜ୍ୟଗୁଡ଼ିକ ସହିତ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ସୁପ୍ରିମ‌କୋର୍ଟଙ୍କ ଆଦେଶକୁ ମଧ୍ୟ ଉପେକ୍ଷା କରାଯାଇଛି। 

ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିରୋଧ କରିଥିଲେ ଏବେ ବି ପ୍ରକଳ୍ପକୁ ବିରୋଧ ଜାରି ରଖିବେ। ଓଡ଼ିଶାର ଦାବିକୁ ଅଣଦେଖା କରି କେନ୍ଦ୍ର ସରକାର ପୋଲାଭରମ୍‌କୁ ଆର୍ଥିକ ଅନୁଦାନ ଯୋଗାଇ ଚାଲିଛନ୍ତି। ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ, ମାଥିଲି ମାଥିଲି ବ୍ଲକ୍ ଅଞ୍ଚଳ ବୁଡ଼ିବା ସହ ବହୁ ପରିବାର ବାସହୀନ ହେଉଥିଲେ ମଧ୍ୟ ଓଡ଼ିଶାରେ ଶାସନ କରୁଥିବା ଡବଲ ଇଞ୍ଜିନ୍‌ ସରକାର ଚୁପ୍ ବସିଛି। 

ରାଜନୈତିକ  ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ପ୍ରକଳ୍ପକୁ ସମର୍ଥନ କରୁଛି। ବିଜେପି ପାଇଁ ତାଙ୍କ ଦଳର ସ୍ବାର୍ଥ ଆଦିବାସୀଙ୍କ ସ୍ବାର୍ଥ ଠାରୁ ବଡ଼। ଓଡ଼ିଶାର ଜଣେ ଆଦିବାସୀ ନେତା ବର୍ତ୍ତମାନ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଦାୟିତ୍ବରେ ଥିବାରୁ ଓଡ଼ିଶାର ଆଦିବାସୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସେ ନିଶ୍ଚିତ ଉଦ୍ୟମ କରିବେ ବୋଲି ନବୀନ ଆଶାପ୍ରକଟ କରିଥିଲେ।

ଏହି ଅବସରରେ ପୂର୍ବାହ୍ନରେ ସିଲେରୁ ଓ ସାବେରୀ ନଦୀର ସଙ୍ଗମ ସ୍ଥଳରୁ ୩ଶହରୁ ଊର୍ଦ୍ଧ୍ବ ମହିଳା କଳସ ଶୋଭାଯାତ୍ରାରେ ବାହାରି ସମାବେଶସ୍ଥଳ‌ରେ ପହଞ୍ଚିଥିଲେ। ସମାବେଶରେ ବିଜେଡି ସମେତ ଆପ୍, ସିପିଆଇ, ସିପିଏମ୍, ବିଏସପି ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ବେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। 

କ୍ରିୟାନୁଷ୍ଠାନ କମିଟିର ଆବାହକ ମାନସ ମାଡ଼କାମୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ସମାବେଶରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ମୁନା ଖାନ୍‌, ଚିତ୍ରକୋଣ୍ଡା/ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ରମେଶ ମାଝୀ,ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, କେସିସି ବ୍ୟାଙ୍କ ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମନୋହର ରନ୍ଧାରୀ, ରମାକାନ୍ତ ରାଉଳ, ମୁନା ଆଚାର୍ଯ୍ୟ, ପୂର୍ବତନ ବିଧାୟକ ରଘୁରାମ ପଡାଲ୍, ରଘୁନାଥ ଗମାଙ୍ଗ, ଚନ୍ଦ୍ରଶେଖର ମାଝୀ, ପ୍ରୀତମ ପାଢ଼ୀ, ଲକ୍ଷ୍ମୀପ୍ରିୟା ନାୟକ, କୌଶଲ୍ୟା ହିକକା, ଅନୁସୂୟା ମାଝୀ ପ୍ରମୁଖ ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରିଥିଲେ। 

ସେହିପରି ଆନ୍ଧ୍ର ଏବଂ ଛତିଶଗଡ଼ର ନେତା ମଧ୍ୟ ପୋଲଭରମ୍ ପ୍ରକଳ୍ପକୁ ବିରୋଧ କରି ମତ ରଖିଥି‌ଲେ। ସୂଚନାଯୋଗ୍ୟ ଯେ ୨୦୨୭ ସୁଦ୍ଧା ଏହି ପ୍ରକଳ୍ପକୁ ସମାପ୍ତ କରିବା ପାଇଁ ଚଳିତ ବଜେଟରେ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରକଳ୍ପ ପାଇଁ ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ର ୨୭୬ ଗାଁ ଜଳମଗ୍ନ ହେବା ସହ ୯ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜଙ୍ଗଲ ଜମି ପ୍ରଭାବିତ ହେବ।



Edited by k.s thakur...





Post a Comment

Previous Post Next Post