ବରଗଡ ଜିଲ୍ଳାର ବିଦୂଷୀ କନ୍ଯା ସ୍ବର୍ଗତା ଇଳା ପଣ୍ଡାଙ୍କ ଜୟନ୍ତୀରେ କୋଶଲଟାଇମ ଦ୍ବାରା ସଂଗୀତ ଆସର ଓ ସମ୍ବର୍ଦ୍ଧନା ପର୍ବ...
ବରଗଡ଼,୨୭/୧୦ : ବରଗଡ ମାଟିର ବିଦୂଷୀ କନ୍ଯା ତଥା ଇଳା-ବଂଶୀଧର ଚାରିଟେବଲ ଟ୍ରଷ୍ଟର ଉଦ୍ଯୋକ୍ତା ସ୍ବର୍ଗତା ଇଳା ପଣ୍ଡାଙ୍କ ୯୪ତମ ଜୟନ୍ତୀ ଅବସରରେ ବରଗଡର ପାକ୍ଷିକ ପତ୍ରିକା କୋଶଲଟାଇମ ପକ୍ଷରୁ ଏକ ସଂଗୀତ ଆସର ସ୍ଥାନୀୟ ଏମ୍ ଆର୍ ପ୍ରେସ୍ ପରିସରରେ ଅନୁଷ୍ଠିତ ହୋଇଛି।
Ad..
ଏହି ଅବରରରେ ବରଗଡ ଅଞ୍ଚଳର ପାଞ୍ଚଜଣ କଳାକାରଙ୍କୁ ଇଳାପଣ୍ଡା ସ୍ମାରକୀ କଳାସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରଖ୍ୟାତ ଇତିହାସ ପ୍ରଫେସର ଘନଶ୍ଯାମ ଦାଶ ଏବଂ ତାଙ୍କ ଧର୍ମପତ୍ନୀ ବିଶାଖା ଦାଶଙ୍କ ଚତୁର୍ଥ ସନ୍ତାନ ରୂପେ ଜନ୍ମିତ ଇଳା ପଣ୍ଡା ବରଗଡ ଜିଲ୍ଳାର ଅଖ୍ଯାତ ପଲ୍ଲୀ କଟାପାଲିରେ ବାଲ୍ଯକାଳ ବିତେଇଥିଲେ ଏବଂ ନିଜ ଜନ୍ମଭୂମି କଟାପାଲିର ଉନ୍ନତି କଳ୍ପେ ପରବର୍ତ୍ତୀ କାଳରେ ଅନେକ କାର୍ଯ୍ଯ କରିଥିଲେ।
Ad..
ଶାନ୍ତିନିକେତନରେ ଫାଇନ୍ ଆର୍ଟ ପଢିଲା ବେଳେ ସେ ଅଙ୍କନ କରିଥିବା ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ଅଦ୍ଯାବଧି ସେଠାରେ ସୁଶୋଭିତ । ତାଙ୍କ ପ୍ରତିଷ୍ଠିତ ଶାରଳା ପୁରସ୍କାର ଏବଂ ଇଳା-ବଂଶୀଧର ଚାରିଟେବଲ ଟ୍ରଷ୍ଟ ଅଦ୍ଯାବଧି ତାର ଉଦ୍ଦେଶ୍ଯ ସାଧନ କରିଚାଲିଛି । ଏହି ମହୀୟସୀ ମହିଳା ପରବର୍ତ୍ତୀ କାଳରେ ରାଜ୍ଯ ସଭାସାଂସଦ ରୂପେ କାର୍ଯ୍ଯ କରିବା ସମୟରେ ବରଗଡ ଜିଲ୍ଲାର ଉନ୍ନତି ପାଇଁ ବହୁ ଅନୁଦାନ ବ୍ଯୟ କରିଥିଲେ।
ତାଙ୍କର ୯୪ତମ ଜୟନ୍ତୀ ଅବସରରେ ପାକ୍ଷିକ ପତ୍ରିକା କୋଶଲଟାଇମର ଆୟୋଜନରେ ଅନୁଷ୍ଠିତ ସଭାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଡଃ ବିଧୁଭୂଷଣ ମିଶ୍ର ମୁଖ୍ଯ ଅତିଥି ରୂପେ ଯୋଗଦାନ କରି ଇଳା ପଣ୍ଡାଙ୍କ ବହୁମୁଖୀ ପ୍ରତିଭାର ଅବତାରଣା ସହ କଟାପାଲି ଗ୍ରାମର କଳା ଓ ଶିକ୍ଷା ତଥା ସଂସ୍କୃତିର ଉନ୍ନତି ପଛରେ ଇଳା ପଣ୍ଡାଙ୍କର ଜନ୍ମମାଟି ପ୍ରତି ପ୍ରେମ ଓ କର୍ତ୍ତବ୍ଯନିଷ୍ଠତା ବିଷୟରେ ପ୍ରକାଶ କରିଥିଲେ।
କ୍ରୀଡା କ୍ଷେତ୍ରରେ ଏକଲବ୍ଯପୁରସ୍କାରଏକ ମାଇଲଖୁଣ୍ଟ ରୂପେ କ୍ରୀଡାପ୍ରେମୀଙ୍କୁ ପ୍ରେରଣା ଦେଇଆସୁଥିବା କଥା ମଧ୍ଯ ସେ ପ୍ରକାଶ କରିବା ସହ ଏହି ମହୀୟସୀଙ୍କ ଜୟନ୍ତୀ ସଭାରେ ସମ୍ମିଳିତ ହୋଇ ନିଜର ଆନନ୍ଦ ପ୍ରକାଶ କରିଥିଲେ।ସଭାରେ ମୁଖ୍ଯବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ତରଣୀସେନ ବୁଧିଆ ବରଗଡ ଜିଲ୍ଳାର ଶିକ୍ଷା ଓ କଳାର ଉନ୍ନତି ପାଇଁ ଇଳା ପଣ୍ଡାଙ୍କର ପ୍ରତିବଦ୍ଧ ଉଦ୍ଯମ ବିଷୟରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ସୁସାହିତ୍ଯିକ ମନୋରଞ୍ଜନ ମେହେର ଇଳା ପଣ୍ଡାଙ୍କର ସାହିତ୍ଯ ସଂଗୀତ କଳା କ୍ରୀଡା ଓ ସମାଜସେବା ପ୍ରତି ଅନୁରାଗ ଏବଂ ଅବଦାନ ବିଷୟରେ ବିଶଦ୍ ଭାବରେ ବକ୍ତବ୍ଯ ଉପସ୍ଥାପନ କରିଥିଲେ। ସଭାକାର୍ଯ୍ଯର ପ୍ରାରମ୍ଭରେ ଅତିଥି ଆମନ୍ତ୍ରଣ ଏବଂ ସଭାର ଉଦ୍ଦେଶ୍ଯଜ୍ଞାପନ କରିଥିଲେ କୋଶଲଟାଇମର ସଂପାଦକ ସଞ୍ଜୀବ କୁମାର ମହାପାତ୍ର।
ବରଗଡ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଛାତ୍ରୀ ଶ୍ରଦ୍ଧା ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ ସହ ସଂକ୍ଷିପ୍ତ ବକ୍ତବ୍ଯ ଉପସ୍ଥାପନ କରିଥିଲେ। ସଭାକୁ ସୁଧାମୟ ସଂଗୀତରେ ସମୃଦ୍ଧ କରିଥିଲେ ଏ ଅଞ୍ଚଳର ବରିଷ୍ଠ କଣ୍ଠଶିଳ୍ପୀ ଦଧିବାମନ ଶତପଥୀ। ଆନ୍ତଃରାଜ୍ଯ ସଂଚାର କଳାକାର ଅଲେଖ ସାହୁ ସୋହେଲା ବ୍ଲକର ଲେଖାପଥରଠାରେ ସଂଚାର ଗାୟକ ବାଦକ ସଂଘ ପ୍ରତିଷ୍ଠା ପାଇଁ ଇଳା ପଣ୍ଡା ଦେଇଥିବା ଅର୍ଥ ସହାୟତା କଥା ଉଲ୍ଲେଖ କରି ଇଳା ପଣ୍ଡା ଯେଉଁ ଗୀତ ତାଙ୍କୁ ଦୁଇ ଥର ଗାଇବା ପାଇଁ ଫରମାଇସ୍ କରିଥିଲେ ସେହି ଗୀତକୁ ଗାନ କରିଥିଲେ ।
କଣ୍ଠଶିଳ୍ପୀ ଦଧିବାମନ ଶତପଥୀ ଓ ସଂଚାର କଳାକାର ଅଲେଖ ସାହୁଙ୍କ ସମେତ ବିଶିଷ୍ଟ ମାଉଥ୍ ଅର୍ଗାନ୍ କଳାକାର ପ୍ରଦୀପ ପଧାନ, ପ୍ରଖ୍ୟାତ ବଂଶୀବାଦକ ମୀନକେତନ ଭୋଇ, ପାଲା କଳାକାର ନାରାୟଣ ପଟେଲଙ୍କୁ ଇଳାପଣ୍ଡା ସ୍ମାରକୀ କଳାସମ୍ମାନରେ ସମ୍ମାନିତ କରାଯାଇଥିଲା।
ଲରମ୍ଭା କଲେଜର ଅଧ୍ୟକ୍ଷ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହ୍ ସଭାରେ ଡଃ ଗୋବର୍ଦ୍ଧନ ସାହୁ, ଅଧ୍ଯାପକ ସନ୍ତୋଷ କୁମାର ପଣ୍ଡା, ପାଣ୍ଡବ ବେହେରା, ସମାଜସେବୀ ଶିବାନନ୍ଦ ମଟାରୀ, ଲୁଲୁ ରବିନ୍ ଦାଶ ଓ ଆହୁରି ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...



